ଲକ୍ଷ୍ମୀପୁର,୧୧/୦୪: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଥିବା କୋଡିଙ୍ଗା ମାଳି କୁ ନେଇ ବ୍ଯକ୍ତି ମାନଙ୍କ ପକ୍ଷରୁ କିଛି ଦିନ ହେଲା ବାଦ ପ୍ରତିବାଦ ଲାଗିରହିଛି। ଯାହାକୁ ନେଇ ଅଞ୍ଚଳରେ ବାତାବରଣ କିଛିଦିନ ହେଲା ସରଗରମ ହୋଇଉଠିଛି। ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳର ଜନତାଙ୍କ ଠାରୁ ଆରମ୍ଭ କରି ଯୁବ ଗୋଷ୍ଠୀ ମାନେ ଭିନ୍ନ ଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇ ନିୟମିତ ଶୋଭାଯାତ୍ରା ଓ ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କୋଡିଙ୍ଗା ମାଳିରୁ ଖଣି ଖନନ ହୋଇ ପୁର୍ବରୁ ୩ ମିଲିୟନ ଟ୍ରନ୍ ରୁ କଞ୍ଚାମାଲ ଏକ କମ୍ପାନୀକୁ ପ୍ରାୟ ୮୦ ପ୍ରତିଶତ ଦିଆଯାଉଥିଲା। ବର୍ତମାନ ଖଣି ଖନନ କୁ ଦ୍ବିଗୁଣିତ କରାଯିବା ସହିତ ସମ୍ପୃକ୍ତ ବକ୍ସାଇଟ୍ ରୁ ୨୦ ପ୍ରତିଶତ ଆନ୍ଧ୍ରପ୍ରଦେଶର ଏକ କମ୍ପାନୀକୁ ଦେବାପାଇଁ ସରକାର ସ୍ଥିର କରିଛନ୍ତି। ଏପରିକି ଏନେଇ ଚୁକ୍ତି ନାମା ସ୍ୱାକ୍ଷରିତ ହୋଇଛି। ଯାହାକୁ ନେଇ ଏଠାରେ କିଛି ଦିନ ହେଲା ବାଦପ୍ରତିବାଦ ଶୋଭାଯାତ୍ରା ଲାଗି ରହିଛି। ଏପରିକି କୋଡିଙ୍ଗା ମାଳି କ୍ରିୟାନୁଷ୍ଠାନ କମିଟି ଏବଂ ସୁରକ୍ଷା ମଞ୍ଚ ନାମରେ ଦୁଇଟି ସଂଗଠନ କୋରାପୁଟର ପୁର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଗରିଆଙ୍କ ନେତୃତ୍ବରେ ଗୁରୁବାର ଏକ ଶୋଭାଯାତ୍ରା କରି ବାହାରି ବିଭିନ୍ନ ନାରାବାଜି ଦେଇ ସ୍ଥାନୀୟ ଓଏମସି କାର୍ଯ୍ଯାଳୟରେ ପହଞ୍ଚି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।
ସେମାନଙ୍କ କହିବା କଥା ଯେଉଁ କମ୍ପାନୀ ଏଠାରୁ ବର୍ଷ ବର୍ଷ ଧରି କଞ୍ଚାମାଲ ନେଉଛି ସେ ଅଞ୍ଚଳରେ ଯେପରି ଊନ୍ନୟନ କାର୍ଯ୍ୟ କରିବା କଥା କରୁନାହିଁ, ଏଠାରୁ ବକ୍ସାଇଟ୍ ନେଇ କମ୍ପାନୀ ତା’ର କାରଖାନା ଚଲାଉଥିବା ବେଳେ କୋଡିଙ୍ଗା ମାଳି ଦ୍ବାରା ପ୍ରଭାବିତ ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି କରୁନାହିଁ ଯେଉଁଥିପାଇଁ ଅଞ୍ଚଳରେ ବେକାରୀ ସମସ୍ୟା ଉପୁଜିଛି ବୋଲି ଦର୍ଶାଇବା ସହିତ ୮ ଦଫା ସମ୍ବଳିତ ଏକ ଦାବିପତ୍ର ଖଣି ନିର୍ଦ୍ଦେଶକଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି। ଏପରିକି ଅଞ୍ଚଳର ସ୍ବାର୍ଥକୁ ଗୁରୁତ୍ବ ଦେଇ କାର୍ଯ୍ୟ କରା ଯିବାପାଇଁ ଦାବି କରାଯାଇଛି। ଏହି ଶୋଭାଯାତ୍ରାରେ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ ସାମିଲ୍ ହୋଇଥିଲେ। ଏନେଇ ସ୍ଥାନୀୟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଅନ୍ୟ ପକ୍ଷରେ କିଛି ଦିନ ହେଲା ଭିନ୍ନ ଭିନ୍ନ କମ୍ପାନୀକୁ ଭିନ୍ନ ଭିନ୍ନ ଯୁବ ଗୋଷ୍ଠୀ ଓ ନେତାମାନେ ସମର୍ଥନ କରି ଶୋଭାଯାତ୍ରା ଆଦି କିଛି ଦିନ ଅନ୍ତରରେ ବାହାରୁ ଥିବା ଦେଖିବାକୁ ମିଳୁଛି କହିବାକୁ ଗଲେ କୋଡିଙ୍ଗା ମାଳିକୁ ନେଇ କଳି ଲାଗି ରହିଥିବା ବେଳେ ଏଠାରେ ଉଷ୍ମତା ଲାଗି ରହିଥିବା ବେଳେ କେତେ ବେଳେ ଯେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ନହେବ ତାହା କହିହେବନାହିଁ।