ଉଲୁଣ୍ଡା,୧୨/୧୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହର ଯୋର ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ) ରାସ୍ତା ଏବେ ଖାଲଖମା ପରିପୂର୍ଣ୍ଣ ହୋଇଛି । ଏବେ ଏହାର ମରାମତି ପାଇଁ ବିଶେଷ ଆବଶ୍ୟକତା ରହିଛି ।କାରଣ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଲୋକ ପରିଦର୍ଶନ ପାଇଁ ଆସିବା ସହ ବିଭିନ୍ନ ସ୍ଥାନରୁ ସ୍କୁଲ ଛାତ୍ର ଛାତ୍ରୀ ମଧ୍ୟ ବଣଭୋଜି ପାଇଁ ଆସି ଏଠାକାର ଖାଲଖମା ପୂର୍ଣ୍ଣ ରାସ୍ତା ପାଇଁ ଏକ ତିକ୍ତ ଅନୁଭୂତି ନେଇ ଫେରନ୍ତି । ଏ ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କାହାର ଦୃଷ୍ଟି ଗୋଚର ହେଉନାହିଁ ।ଡ୍ୟାମ ଉପରଦେଇ ଯାଇଥିବା ରାସ୍ତା ବହୁବର୍ଷ ଧରି ମରାମତି ନ ହୋଇ କଦର୍ଯ୍ୟ ଅବସ୍ଥାରେ ପଡିରହିଛି । ରାସ୍ତାର ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ ପିଚୁ ଉଠି ଗର୍ତ୍ତ ସୃଷ୍ଟି ହୋଇ ସାମାନ୍ୟ ବର୍ଷାରେ ପାଣି ଜମି ରହିବା ସହ ଯିବା ଆସିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏଣୁ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡ୍ୟାମ ଉପର ରାସ୍ତାରେ ଆଉ କେବେଠୁ ଆଉ ବିଜୁଳି ଆଲୁଅ ବି ଜଳୁ ନାହିଁ । ପ୍ରଶାସନ ତଥା ଜଳ ସମ୍ପଦ ବିଭାଗଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବା ସହ ରାସ୍ତାର ସୁଧାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )