ସାନଖେମୁଣ୍ଡି,୨୮/୦୩(ପିପିଟି): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି , ନିଯୁକ୍ତି ହ୍ରାସ ସହ କର୍ମଚାରୀ ଛଟେଇ , ବ୍ୟାଙ୍କ ମିଶ୍ରଣ ସହ ଘରୋଇକରଣ , ଲାଭଜନକ ସରକାରୀ ଉଦ୍ୟୋଗ ବିକ୍ରୀ , ଶିଳ୍ପ ବିରୋଧି ଆଭିମୁଖ୍ୟ ସହ ନିତ୍ୟ ବ୍ୟବହୃତ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିୟନର ମିଳିତ ଡାକରାରେ ଆଜି ହୋଇଥିବା ଭାରତ ବନ୍ଦର ପ୍ରଭାବ ସାନଖେମୁଣ୍ଡି ବ୍ଲକରେ ସଫଳ ହୋଇଅଛି । ଅଲ୍ ଇଣ୍ଡିଆ ଟ୍ରେଡ ୟୁନିୟନ୍ କଂଗ୍ରେସ (ଏ.ଆଇ.ଟି.ୟୁସି ) ଅନୁବନ୍ଧିତ ଅଙ୍ଗନୱାଡ଼ି କର୍ମୀ , ଆଶା କର୍ମୀ , ନିର୍ମାଣ ଶ୍ରମିକ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଏ.ଆଇ.ଟି.ୟୁସି ର ସାଥୀ ଅଳକନାଥ ମିଶ୍ର , ତପନ କୁମାର ମିଶ୍ର , ମନୋଜ ବିଷୋୟୀ ପ୍ରମୁଖ ଆନ୍ଦୋଳନରେ ଯୋଗ ଦେଇଥିଲେ । ସଂଘ ସଭାନେତ୍ରୀ ମିତା ମିଶ୍ରଙ୍କ ନେତୃତ୍ବରେ ପାଟପୁର ଗାନ୍ଧିଛକ , ବ୍ଲକ୍ ଛକ ଦେଇ ବ୍ଲକ୍ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ବିରୋଧୀ ନୀତିର ଦୃଢ଼ ବିରୋଧ କରିବା ସହ ଉଭୟ ସରକାରଙ୍କୁ ସଂଘ ନିର୍ଦ୍ଧାରିତ ଦାବି ସମୂହକୁ ପୂରଣ କରିବାକୁ ଆହ୍ବାନ ଦେଇଥିଲେ । ସରକାର ବିରୋଧୀ ସ୍ଲୋଗାନ ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପଦଯାତ୍ରା କରି ରାସ୍ତା ଜାମ କରିବା ସହ ପିକେଟିଙ୍ଗ କରି ସରକାରୀ କାର୍ଯ୍ୟାଳୟ , ଦୋକାନ ବଜାର ବନ୍ଦ କରିଥିଲେ । ସାନଖେମୁଣ୍ଡି ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଥିଲେ । କର୍ମୀ ସଂଘ ସମ୍ପାଦିକା ସୁଷମା ପ୍ରଧାନ , ବେଦମତି ରଥ , ବନିତା କୁମାରୀ ରଥ , ରଶ୍ମିତା ସାହୁ ପ୍ରମୁଖ କର୍ମୀଙ୍କ ସହ ସମସ୍ତ କର୍ମୀ ଓ ସହାୟିକା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ନିର୍ମାଣ ଶ୍ରମିକ ସଂଘ ସନ୍ତୋଷ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )