ଭୁବନେଶ୍ୱର,୦୧/୦୨(ପିପିଟି): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ବଜେଟ- ୨୦୨୫-୨୬ ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀ,କର୍ପୋରେଟ ସପକ୍ଷବାଦୀ ଓ ଅନ୍ତସାରଶୂନ୍ୟ ବଜେଟ ବୋଲି ନେତାଜୀ ସୁଭାଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ,ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ପ୍ରକାଶ କରିଛନ୍ତି l ଏହି ବଜେଟରେ ଆମ ଦେଶର ଅର୍ଥନୀତି ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ସମାଧାନ ଦିଗରେ କୌଣସି ଦୃଷ୍ଟି ଦିଆଯାଇ ନାହିଁ। ସାରା ଦେଶରେ କ୍ରମବର୍ଦ୍ଧିଷ୍ଣୁ ବେକାରୀ, ଦରଦାମ ବୃଦ୍ଧି ପ୍ରଭ୍ରୁତି ସମସ୍ୟାଗୁଡ଼ିକୁ ସମାଧାନ ଦିଗରେ ଏହି ବଜେଟ ସମ୍ପୂର୍ଣ୍ଣ ବିଫଳ ପ୍ରତୀୟମାନ ହେଉଛି । ଆମ ଦେଶର ଅର୍ଥନୀତି ସଂକଟମୟ ସ୍ଥିତିରେ ଗତିକରୁଛି । ବୈଦେଶିକ ଋଣ ବୃଦ୍ଧି ସହିତ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଏଭଳି ଜଟିଳ ସ୍ଥିତିର ମୁକାବିଲା ସହିତ ଦେଶର ଆର୍ଥିକ ଅବସ୍ଥାର ସୁଧାର ପାଇଁ ବଜେଟରେ କୌଣସି ବିଶେଷ ବ୍ୟବସ୍ଥା ଥିବା ଭଳି ମନେହୁଏ ନାହିଁ । ଅନ୍ୟ ପଟରେ ଜନମଙ୍ଗଳକାରୀ ଯୋଜନାଗୁଡ଼ିକ ପ୍ରତି ଏହି ବଜେଟରେ ଅଗ୍ରାଧିକାର ଦିଆଯାଇନାହିଁ । ଚଳିତ ବଜେଟ୍ରେ ପେନ୍ସନ୍, ସାମାଜିକ ସୁରକ୍ଷା, ଏବଂ କୃଷକମାନେ ଦାବି କରୁଥିବା କୃଷିରୁଣ ଛାଡ଼ ଓ ଏମ୍ଏସ୍ପି ପ୍ରଭୃତି ଦିଗ ପ୍ରତି ବଜେଟ ସମ୍ପୂର୍ଣ୍ଣ ନିରବ । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସମାଜିକ ନିରାପତ୍ତା ବିଶେଷକରି ମନରେଗା ଭଳି ଯୋଜନା ନିମନ୍ତେ ବଜେଟରେ ଅନୁଦାନ ନୈରାଶ୍ୟ ଜନକ ଅଟେ । ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ବିନିଯୋଗ ଦ୍ୱାରା ଜୀବନ ବୀମା ଏବଂ ସାଧାରଣ ବୀମା କ୍ଷେତ୍ର ଆହୁରି ସଙ୍କଟମୟ ଦିଗକୁ ଗତି କରିବାର ସମ୍ଭାବନା ଯଥେଷ୍ଟ ଅଧିକ । ମୋଟାମୋଟି ଭାବରେ କହିବାକୁ ଗଲେ ଏହା ଏକ ଅନ୍ତଃସାରଶୂନ୍ୟ ବଜେଟ । ଯେଉଁଥିରେ ଶବ୍ଦ ଅଧିକ ଓ ସାମାଜିକ ପ୍ରତିବଦ୍ଧତା କମ ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ଏଭଳି ଜନ ବିରୋଧୀ କେନ୍ଦ୍ର ବଜେଟ ବିରୋଧ ରେ ସମାଜର ସବୁବର୍ଗର ଜନଗଣ ପତିବାଦ କରିବାକୁ ଫରୱାର୍ଡ଼ ବ୍ଲକ ପକ୍ଷରୁ ଆହ୍ୱାନ ଦିଆଯାଇଛି ।