ବେଲଗୁଣ୍ଠା,୦୭/୦୩(ପିପିଟି): ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ନିକଟସ୍ଥ ଏକ କେନାଲ୍ ରୁ ବେଲଗୁଣ୍ଠା ପୋଲିସ୍ ଜଣେ ବିବାହିତ ମହିଳାଙ୍କ ଶବ ଉଦ୍ଧାର କରିବା ସହିତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ଵଶୁରଙ୍କୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ବୁଗୁଡ଼ା ଥାନା ଅନ୍ତର୍ଗତ କାଦପଡ଼ା ଗ୍ରାମର ଗୟା ନାୟକ ଏବଂ ରଜନୀ ନାୟକଙ୍କ ଝିଅ ଯାଜ୍ଞସେନୀ ନାୟକ (35) ପ୍ରାୟ 12 ରୁ 15 ବର୍ଷ ପୂର୍ବେ ପୋଲସରା ନିକଟସ୍ଥ ତେନ୍ତୁଳିଆ ଗ୍ରାମର ସୁଜନ ନାଇକଙ୍କୁ ବିବାହ କରିଥିଲେ I ଉଭୟ କିଛି ବର୍ଷ ସୁଖ ଶାନ୍ତିରେ କାଟିବା ପରେ ଏକ ଅଜଣା ମିସ୍ କଲ୍ କୁ ନେଇ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା I ମିସ୍ କଲ୍ ରୁ ଯାଜ୍ଞସେନୀ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଗ୍ରାମର ମନୋଜ ନାଇକଙ୍କ ପ୍ରେମରେ ପଡ଼ି ସ୍ୱାମୀ ସୁଜନ ଏବଂ ନିଜର ତିନି ସନ୍ତାନଙ୍କୁ ଛାଡ଼ି ମନୋଜ ସହିତ ଘରୁ ଫେରାର୍ ହୋଇଯାଇଥିଲା I ପରେ ମନୋଜ ସହିତ ଯାଜ୍ଞସେନୀ ଆଠ ବର୍ଷ ହେବ ଜିଲିବା ଗ୍ରାମରେ ରହି ଆସୁଥିଲା I କିନ୍ତୁ ଧିରେ ଧିରେ ମନୋଜର ଯାଜ୍ଞସେନୀ ଉପରୁ ପ୍ରେମ କମିଯିବା ସହିତ ମନୋଜ ଅନ୍ୟ ଏକ ଝିଅର ପ୍ରେମରେ ପଡି ଯାଇଥିଲା I ଏହି ଘଟଣା ଯାଜ୍ଞସେନୀ ଜାଣିବା ପରେ ଉଭୟଙ୍କ ମଧ୍ୟରେ ନିୟମିତ ଝଗଡ଼ା ଲାଗି ରହୁଥିଲା I ଅଭିଯୋଗ ପ୍ରକାରେ ମନୋଜ ଯାଜ୍ଞସେନୀ କୁ ନିଜ ପ୍ରେମ ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲା I ଯାଜ୍ଞସେନୀ
ଙ୍କ ମାଆ ରଜନୀଙ୍କ ଅଭିଯୋଗ ପ୍ରକାରେ ଗତ ମଙ୍ଗଳବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ମନୋଜ ଯାଜ୍ଞସେନୀର ତଣ୍ଟି ଚିପି ହତ୍ୟା କରିଥିଲା ଏବଂ ନିଜ ବାପା ଜୟ ନାଇକଙ୍କ ସହଯୋଗରେ ଯାଜ୍ଞସେନୀର ଶବକୁ ନିକଟସ୍ଥ ଏକ କେନାଲ୍ ରେ ଗାତ ଖୋଳି ପୋତି ଦେଇଥିଲା I ଯାଜ୍ଞସେନୀର ମୃତ୍ୟୁକୁ ଅନ୍ୟରୂପ ଦେବା ପାଇଁ ଚେଷ୍ଟା କରୁ୍ଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଯାଜ୍ଞସେନୀର ମା ରଜନୀ ଜିଲିବା ରେ ପହଞ୍ଚି ମନୋଜ ଏବଂ ଜୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରି ସନ୍ତୋଷଜନକ ଉତ୍ତର ନ ମିଳିବା ପରେ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କଠାରୁ ଖବର ସଂଗ୍ରହ କରି ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଛନ୍ତି I ଅଭିଯୋଗକୁ ଭିତ୍ତିକରି ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଅଭୟ ପ୍ରଧାନ ଏବଂ ଏଏସ୍ଆଇ ନାରାୟଣ ନାୟକଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ଯାଜ୍ଞସେନୀଙ୍କ ସ୍ୱାମୀ ମନୋଜ (40)ଏବଂ ଶ୍ୱଶୁର (60) ଙ୍କୁ ଧରି ସେମାନଙ୍କୁ ପଚରାଉଚୁରା କରିବା ସହ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ଏହା ସହିତ ପୋଲିସ୍ ସଂପୃକ୍ତ କେନାଲ୍ ରେ ପହଞ୍ଚି ସେଠାରେ ସାଇଣ୍ଟିଫିକ୍ ଟିମ୍ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଜୀବନଜ୍ୟୋତି ନାୟକଙ୍କ ଉପସ୍ଥିତିରେ ପୋତାଯାଇଥିବା ଯାଜ୍ଞସେନୀର ଶବକୁ ଉଦ୍ଧାର କରିବା ସହ ଶବ ଚିହ୍ନଟ କରାଯାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା I ଏନେଇ ବେଲଗୁଣ୍ଠା ଥାନାରେ 134/25 ରେ ଏକ ମାମଲା ରୁଜୁ କରାଯାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଆଇ ଅଭୟ ପ୍ରଧାନ ପ୍ରକାଶ କରିଛନ୍ତି I