କୃଷି ଆଇନ ପ୍ରତ୍ୟାହାର ଦାବିରେ ଡିସେମ୍ବର ୮ ତାରିଖ ଭାରତ ବନ୍ଦକୁ ବାମପନ୍ଥୀ ଦଳଙ୍କ ସମର୍ଥନ ।

ଭୁବନେଶ୍ବର,୦୫/୧୨; କୃଷି ଓ କୃଷକ ସର୍ବନାଶକାରୀ ତିନୋଟି କୃଷି ଆଇନ-୨୦୨୦ ଓ ବିଦ୍ୟୁତ୍ ବିଲ୍-୨୦୨୦ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକ ସଙ୍ଗଠନ ଗୁଡିକ ଡିସେମ୍ବର ୮ ତାରିଖ ଦିନ ଭାରତ ବନ୍ଦ ପାଇଁ ଦେଇଥିବା ଡାକରାକୁ ଓଡ଼ିଶାରେ ସିପିଆଇ , ସିପିଆଇ (ଏମ) , ସିପିଆଇ (ଏମଏଲ) , ଲିବରେସନ , ଫରୱାର୍ଡ଼ ବ୍ଲକ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ଦୀର୍ଘ ୯ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସହିତ ସରକାର ୪ ଥର ଆଲୋଚନା କଲେ ମଧ୍ୟ ସରକାର ତାଙ୍କ ଜିଦ୍ ରେ ଅଟଳ ରହୁଥିବାରୁ କୌଣସି ସୁଫଳ ମିଳିପାରୁନାହିଁ । କୃଷକ ବିରୋଧୀ , ଖାଉଟି ବିରୋଧୀ ଓ ଜନ ବିରୋଧୀ କୃଷି ଆଇନ ଏବଂ ବିଦ୍ୟୁତ୍ ବିଲ-୨୦୨୦ ପ୍ରତ୍ୟାହାର ପାଇଁ ଚାଲିଥିବା ଗଣତାନ୍ତ୍ରିକ ଆନ୍ଦୋଳନକୁ ଦମନ କରି ଭଣ୍ଡୁର କରିବା ପାଇଁ କେନ୍ଦ୍ରର ଏନଡ଼ିଏ ସରକାରଙ୍କ ହୀନ ଉଦ୍ୟମକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି । ଦେଶର ସମ୍ବିଧାନ , ଗଣତନ୍ତ୍ର ଓ କୃଷିକୁ ରକ୍ଷା କରିବା ସହିତ କର୍ପୋରେଟ ସଂସ୍ଥା ମାନଙ୍କ ଚାଟୁକାରିତା ବନ୍ଦ କରିବା ସହ ୩ ଟି କୃଷି ଆଇନ ଓ ବିଦ୍ୟୁତ୍ ବିଲ-୨୦୨୦ କୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ବାମପନ୍ଥୀ ଦଳମାନେ ଦାବି କରିଛନ୍ତି । ଦେଶ ସମସ୍ତ ଗଣତନ୍ତ୍ର ପ୍ରେମୀ , ଧର୍ମ ନିରପେକ୍ଷ ଓ ପ୍ରଗତିଶୀଳ ଶକ୍ତି ଏବଂ ରାଜନୈତିକ ଦଳମାନେ ଏହି ବନ୍ଦରେ ସାମିଲ ହେବା ପାଇଁ ମଧ୍ୟ ବାମପନ୍ଥୀ ଦଳମାନେ ନିବେଦନ କରିଛନ୍ତି । ବନ୍ଦକୁ ସଫଳ କରିବାପାଇଁ ବାମପନ୍ଥୀ ମାନଙ୍କର ଏକ ପ୍ରସ୍ତୁତି ବୈଠକ ଭଗବତୀ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସିପିଆଇ ପକ୍ଷରୁ ଆଶିଷ କାନୁନଗୋ , ରାମକୃଷ୍ଣ ପଣ୍ଡା , ଡ଼ ପ୍ରଶାନ୍ତ ମିଶ୍ର , କ୍ଷୀରୋନ୍ଦ୍ର ସିଂଦେଓ ସିପିଆଇ (ଏମ) ପକ୍ଷରୁ ଅଳିକିଶୋର ପଟ୍ଟନାୟକ , ଦୁସ୍ମନ୍ତ ଦାସ , ସିପିଆଇ (ଏମଏଲ) ଲେବରେସନ ପକ୍ଷରୁ ଯୁଧିଷ୍ଠିର ମହାପାତ୍ର , ରାଧାକାନ୍ତ ସେଠି ଓ ଏଆଇଏଫବି ପକ୍ଷରୁ ଜ୍ୟୋତିରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ ।

Comments (0)
Add Comment