ବୋଲଗଡ଼,୨୩/୧୨(ପିପିଟି):ଫସଲ ଉପୁଜାଇବା ପାଇଁ ପ୍ରତିବର୍ଷ କୃଷକ କେତେ ହାଡଭଙ୍ଗା ପରିଶ୍ରମ କରି ଥାଏ। ମାଟି, କାଦୁଅ ଖରା,ବର୍ଷା ସହି ନିଜ ପରିଶ୍ରମର ବୀଜ ବପନ କରିଥାଏ। ସେହି ପରିଶ୍ରମରୁ ଜାତ ହୁଏ ସୁନାର ଫସଲ। ସେଥି ପାଇଁ ଦେଶରେ ପାଳିତ ହେଉଛି ଜାତୀୟ କୃଷକ ଦିବସ ଯାହାକି ଡିସେମ୍ବର ୨୩ରେ ସାରା ,ଭାରତରେ କୃଷକ ଦିବସ ପାଳିତ ହୋଇଥାଏ। ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୂରୀ ଚରଣ ସିଂହଙ୍କ ଜନ୍ମଦିନକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହଙ୍କ ଜନ୍ମ ୧୯୦୨ ଆଜିର ଦିନରେ ହୋଇଥିଲା।ପ୍ରଧାନମନ୍ତ୍ରୀ ଥିବା କାଳରେ ଦେଶର କୃଷକଙ୍କ ଉନ୍ନତି କ୍ଷେତ୍ରରେ ସେ ଅନେକ ପଦକ୍ଷେପ ନେଇଥିଲେ। ଏହାର ମୂଳ କାରଣ ଥିଲା ଚରଣ ସିଂହ ନିଜେ କୃଷକ ପରିବାରରେ ଜନ୍ମ ହୋଇଥିଲେ। ସେ କୃଷକଙ୍କ ସମସ୍ୟାକୁ ଅଙ୍ଗେ ନିଭାଇଥିଲେ। ସେଥିପାଇଁ ତାଙ୍କ ଜନ୍ମଦିନକୁ ସାରାଦେଶରେ କୃଷକ ଦିବସ ଭାବେ ପାଳିତ ହୋଇ ଆସୁଛି। କୃଷି ଓ କୃଷକର ଉନ୍ନତିରେ ଦେଶର ପ୍ରଗତି ସମ୍ଭବ ହୋଇଥାଏ। କୃଷକ ନିଜ ଝାଳ ବୁହାଇ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇଥାଏ। ଏହି ଦୃଷ୍ଟିରୁ ଦେଶର ପ୍ରତି ନାଗରିକ କୃଷକଙ୍କୁ ସମ୍ମାନ ଦେବା ଆବଶ୍ୟକ ବୋଲି ଚରଣ ସିଂହ ଦେଶବାସୀଙ୍କୁ ଜଣାଇବାକୁ ଚାହୁଁଥିଲେ। ଏହି ଦିବସ ପାଳନ ହେବାର ଆଉ ଏକ କାରଣ ହେଲା କୃଷକଙ୍କର ଯୋଗଦାନକୁ ଲୋକଙ୍କୁ ଜଣାଇବା।ମୋଟାମୋଟି କହିବାକୁ ଗଲେ ଏକ କୃଷି ପ୍ରଧାନ ଦେଶ ଭାବେ ଆମ ଦେଶର ଅର୍ଥନୀତି କୃଷିଉପରେ ନିର୍ଭରଶୀଳ। ଜାତୀୟ କୃଷକ ଦିବସ କୃଷିକ୍ଷେତ୍ରକୁ ଆହୁରି ଶଶକ୍ତ କରିବା ପାଇଁ ସଂକଳ୍ପ ନେବାର ଦିନ। ନୂତନ ଟେକ୍ନୋଲୋଜିର ବ୍ୟବହାର ସହ ବଜାର ସଂଯୋଗୀକରଣ ଓ କୃଷି କ୍ଷେତ୍ର ସମୃଦ୍ଧ ହେଲେ ବିକଶିତ ଗ୍ରାମ ଓ ବିକଶତ ଭାରତ ସ୍ୱପ୍ନ ପୁରଣ ହୋଇ ପାରିବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।