କୃଷକ ବିରୋଧୀ କୃଷି ଆଇନର ପ୍ରତ୍ୟାହାର ଦାବିରେ ଜିଲ୍ଲାର ଚାଷୀ ସଂଗଠନମାନଙ୍କ ପକ୍ଷରୁ ଭାରତ ବନ୍ଦ ପାଳନ ।

ବ୍ରହ୍ମପୁର,୦୮/୧୨(ପିପିଟି); ମୋଦି ସରକାରର କୃଷି ଓ କୃଷକ ସର୍ବନାଶ କାରୀ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ, ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଦାୟର ମୋକଦ୍ଦମାର ପ୍ରତ୍ୟାହାର ଆଦି ଦାବିରେ ଗତ ବାର ଦିନ ଧରି ଦିଲ୍ଲୀକୁ ଘେରାଉ କରି ରଖିଥିବା ଲକ୍ଷ ଲକ୍ଷ କୃଷକଙ୍କ ସମର୍ଥନରେ ଆୟୋଜିତ ଆଜିର ଭାରତ ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲାର କୃଷକ ସଂଗଠନମାନଙ୍କ ପକ୍ଷରୁ ମିଳିତ ଭାବେ ଅଂଶ ଗ୍ରହଣ କରି ବନ୍ଦ ପାଳନ କରାଯାଇଥିଲା । କୃଷକ ସଂଗଠନମାନଙ୍କ ସର୍ବ ଭାରତୀୟ ମଂଚ, ଅଖିଳ ଭାରତ କୃଷକ ସଂଘ ସମନ୍ଵୟ ସମିତି (ଏଆଇକେଏସସିସି) ପକ୍ଷରୁ ଦିଆଯାଇଥିବା ଡାକରା ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ବିଭିନ୍ନ ସଂଗଠନର ଶତାଧିକ କର୍ମୀ ସର୍ବ ପ୍ରଥମେ ପୁରୁଣା ବସଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସହର ସାରା ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ବ୍ୟାଙ୍କ୍, ଡାକଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ଆଗରେ ପିକେଟିଂ କରି ଲୋକଙ୍କୁ ବନ୍ଦରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଇ ଥିଲେ । ସ୍ଥାନୀୟ ଗେଟ୍ ବଜାର ଛକ ଠାରେ ମଧ୍ୟ କିଛି ସମୟ ପାଇଁ ରାସ୍ତା ଉପରେ ବସି ରାସ୍ତା ଅବରୋଧ କରାଯାଇଥିଲା । ଅପରାହ୍ନରେ ଚାଷୀ ସଂଗଠନମାନଙ୍କ ଶତାଧିକ କର୍ମୀ ସହର ବାହାରେ ଥିବା ଜାତୀୟ ରାଜପଥକୁ ଯାଇ ଅନେକ ସମୟ ଧରି ଅବରୋଧ କରିଥିଲେ । ଏଆଇକେଏସସିସି ସଂଲଗ୍ନ ଜିଲ୍ଲାର କୃଷକ ସଂଗଠନମାନଙ୍କ ପକ୍ଷରୁ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଅଖିଳ ଭାରତ କିଶାନ ମଜଦୁର ସଭାର ଜାତୀୟ ସଂପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ସଂପାଦକ ପ୍ରତାପ ନାୟକ, ଜିଲ୍ଲା କମିଟି ସଭ୍ୟ ଲଡୁ କିଶୋର ଡାକୁଆ, ସନ୍ତୋଷ କୁମାର ନାୟକ, ନାରାୟଣ ବିଷୋୟୀ, ସନ୍ତୋଷ ଗୌଡ, ଓଡିଶା କୃଷକ ସଭା ଜିଲ୍ଲା ନେତା ହରିକୃଷ୍ଣ ରେଡ୍ଡୀ, ଏଆଇକେକେଏମଏସ୍ ନେତା ଉଦ୍ଧବ ମହାଙ୍କୁଡ, ପପୁନ ସାହୁ, ଏଆଇକେକେଏସ୍ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ପି. ପାର୍ବତୀ ପ୍ରମୁଖ ନେତୃତ୍ଵ ନେଇଥିଲେ । ଏମାନଙ୍କ ବ୍ୟତିତ ଡିଏସଓର ଛାତ୍ର ନେତା ସୋମନାଥ ବେହେରା, ଶିବାନୀ ଶଙ୍କର ମିଶ୍ର, ଆଇଏଫଟିୟୁର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ଯୁବ ନେତା ଲକ୍ଷ୍ମୀ ନୄସିଂହ ରଥ, ଶିବରାମ ସାହୁ, ମାନବାଧିକାର ସୁରକ୍ଷା ମଂଚର ଅବନୀ କୁମାର ଗୟା, ସାମାଜିକ କର୍ମୀ ଶ୍ରୀନିବାସ ରାଓ, ଜନ ଜାଗରଣ ଅଭିଯାନର ମଧୂସୁଦନ ସେଠୀ, ଆମ୍ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତ, ଲୋକଶକ୍ତି ଅଭିଯାନର ଆବାହକ ପ୍ରଫୁଲ୍ଲ ସାମନ୍ତରା ପ୍ରମୁଖ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment