ଆସିକା,ତା- ୨୫/୦୯(ପିପିଟି); କୃଷକ ଓ ଖାଉଟିଙ୍କ ସର୍ବନାଶ କରି କର୍ପୋରେଟ କମ୍ପାନୀ ହାତରେ କୃଷି ନୀତି ଟେକି ଦେବା ପାଇଁ ଉଦ୍ଧିଷ୍ଟ ବିଲକୁ ରଦ୍ଧ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ୨୫ ସେପ୍ଟେମ୍ବର ୨୦୨୦ ଭାରତ ବନ୍ଦ ଆହ୍ବାନ ଦିଆଯାଇଥିଲା । ଏହାକୁ ସଫଳ କରିବା ପାଇଁ କ୍ରାନ୍ତିକାରୀ କୃଷକ ସଭା(A.I.K.K.S) ପକ୍ଷରୁ ଆସିକା ଠାରେ ବନ୍ଦ ପାଳନ କରିଥିଲେ । ଶହ ଶହ ସଂଖ୍ୟାରେ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ଏକାଠି ହୋଇ କୃଷକ ବିରୋଧୀ ବିଲକୁ ରଦ୍ଧ କରିବା ପାଇଁ ଦାବି କରିଥିଲେ । କୃଷିଜାତ ସାମଗ୍ରୀର ବିପଣନ ଓ କାରବାର (ପ୍ରୋଛାହନ ଏବଂ ସୁବିଧା ପ୍ରଦାନ ) ବିଧେୟକ -୨୦୨୦, କୃଷକ (ସଶକ୍ତି କରଣ ଏବଂ ସୁରକ୍ଷା )ରାଜିନାମା ସଂକ୍ରାନ୍ତ ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ବିଧେୟକ -୨୦୨୦,ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ ବିଧେୟକ -୨୦୨୦ ତୁରନ୍ତ ରଦ୍ଧ କରି ଅନ୍ନଦାତାଙ୍କ ହିତରେ ସରକାର କାମ କରିବା ପାଇଁ ପ୍ରତିବାଦ ସ୍ଥଳରେ ଦୃଢ ଦାବି କରିଥିଲେ। ଯଦି କର୍ପୋରେଟ୍ କମ୍ପାନୀ ହାତରେ କୃଷି ନୀତି ଟେକିବା ଜୋର ଜବରଦସ୍ତ ପୁଣିଥରେ ଚେଷ୍ଟା କରନ୍ତି ଦେଶବ୍ୟାପୀ ନିଆଁ ଲାଗିବ ଏବଂ ସରକାରଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ଚେତାବନୀ ପ୍ରଦାନ କରିଥିଲେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ୧୯୫( ସଂଶୋଧନ) ବିଲ ଆଣି ଅତ୍ୟାଵଶ୍ୟକୀୟ ଚାଉଳ, ଗହମ, ଅନ୍ୟାନ୍ୟ ଖାଦ୍ୟ ଶସ୍ୟ, ସମସ୍ତ ପ୍ରକାର ଡାଲି, ତୈଳ ବୀଜ, ଆଳୁ ଏବଂ ପିଆଜ ଆଦି ୨୦ ଟି ଅତ୍ଯାବଶ୍ୟକୀୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ଉପରେ କଳା ବଜାରୀ ଏବଂ ମୁନାଫାଖୋରୀ ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ କାରବାର ବୃଦ୍ଧି ପାଇବ । କୋଟି କୋଟି ସାଧାରଣ ଖାଉଟି ସଙ୍କଟ ସମୟରେ ଭୟଙ୍କର ଆର୍ଥିକ ବୋଝ ଏବଂ ବଜାରରେ ଅତ୍ୟାଵଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ଜନିତ ଅତି କଠିନ ପରିସ୍ଥିତିକୁ ସାମନା କରିବେ । ବର୍ତ୍ତମାନ ଠାରୁ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବଜାର ବ୍ୟବସ୍ଥା ଉପରେ ସରକାରୀ ନିୟନ୍ତ୍ରଣର ବିଲୋପ ଘଟାଇ ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ ନିୟନ୍ତ୍ରଣ ରହିବ । ମହଙ୍ଗା ଦର ବୋଝରେ ଖାଉଟି ହନ୍ତସନ୍ତ ହେବ। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ(MSP) ର ଦାୟିତ୍ୱରୁ ସରକାର ଓହରିବା ଏବଂ କୃଷି ବଜାରର କର୍ପୋରେଟ କରଣ କରିବା, କୃଷି ଉପ୍ତାଦନ ବିପଣନ କମିଟି (APMC) କୁ ସମ୍ପୂର୍ଣ୍ଣ କଟକଣା ମୁକ୍ତ/ଭାଙ୍ଗି ଦେଇ କର୍ପୋରେଟ ମାନଙ୍କୁ କୃଷି ବଜାରରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । “କୃଷି ଉପ୍ତାଦନ, କୃଷିଜାତ ଦ୍ରବ୍ୟ ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଏବଂ ବିତରଣ ” ରେ କମ୍ପାନୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରୋତ୍ସାହନ ଦିଆଯାଇଛି । ଏହା ଦ୍ୱାରା କୃଷି ମଣ୍ଡିରେ ସାଧାରଣ କୃଷକ ମୁଲଚାଲ କ୍ଷମତା ହରାଇବେ, ଅଘୋଷିତ ଭାବେ ଚାଲିଥିବା ଆଗୁଆ ବାଣିଜ୍ୟ କାରବାରକୁ ଏହି ବ୍ୟବସ୍ଥା ଦ୍ୱାରା ଆଇନ ସମ୍ମତ କରାଯାଇଛି l କମ୍ପାନୀ, ସୁଧଖୋରୀ ବ୍ୟବସାୟୀ ଏବଂ ଦଲାଲ ମାନେ ସକ୍ରିୟତାର ସହିତ ସହଜରେ କୃଷି ବଜାରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଲାଇସେନ୍ସ ଦିଆଯାଇଛି। ସ୍ବାମିନାଥନଙ୍କ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ପ୍ରଦାନ କରିବା ବଦଲରେ ମୋଦ ସରକାରଙ୍କ ଜୁମଲା ଏମ ଏସ ପି ପାଇଁ କୃଷକ ମାନଙ୍କୁ ଭୁଆ ବୁଲାଇବା ନୀତି ଆରମ୍ଭ କରିଛନ୍ତି ବୋଲି ଅଖିଳ ଭାରତୀୟ କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ନିଜ ବକ୍ତବ୍ୟରେ ରଖିଛନ୍ତି । ଠିକା ଚାଷ ବ୍ୟବସ୍ଥା ପ୍ରବର୍ତ୍ତନ କରି ଭାଗଚାଷୀ ଓ ଆଦିବାସୀଙ୍କ ଜମି ହଡପ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାର ଆରମ୍ଭ କରିଛନ୍ତି ବୋଲି ଚାଷୀ ନେତା ରମେଶ ପରିଡା ପ୍ରକାଶ କରିଛନ୍ତି । ମୋଦି ସରକାର କର୍ପୋରେଟ ମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଭାରତର ସଂସଦ ଏବଂ କୃଷକ ମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି । କୃଷକ ମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି ମୋଦି ସରକାର ଗ୍ରହଣ କରିଛନ୍ତି ବୋଲି ବହୁ ଚାଷୀ ନେତା କହିଛନ୍ତି । ଏହି ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଆସିକା ବ୍ଳକ ସଭାପତି ବୃନ୍ଦାବନ ବାରିକ,ସମ୍ପାଦକ ରମେଶ ପରିଡା, କେଶବ ସ୍ବାଇଁ, ସଂଯୁକ୍ତା ସ୍ବାଇଁ, ଲଳିତା ସ୍ବାଇଁ, ବିଧାନ ନାୟକ ଆଦି ବହୁ ନେତୃତ୍ବ ଉପସ୍ଥିତ ଥିଲେ ।