କୃଷକର ସର୍ବନାଶକାରୀ କୃଷି ଆଇନ୍ ବାତିଲ୍ ଦାବିରେ ସର୍ବଭାରତୀୟ ପ୍ରତିବାଦ ଦିବସରେ ରାଜଧାନୀରେ ପ୍ରତିବାଦ ଓ ଧାରଣା ।

ଭୁବନେଶ୍ଵର,ତା୨୭/୧୧(ପିପିଟି): ବିଜେପି ନେତୃତ୍ଵାଧୀନ ମୋଦୀ ସରକାରଙ୍କ କୃଷି ଓ କୃଷକର ସର୍ବନାଶକାରୀ କୃଷି ଆଇନ୍-୨୦୨୦ ବାତିଲ୍ ଦାବିରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ଓ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନର ଧର୍ମଘଟ ଡାକରାରେ ଗତକାଲି(୨୬ ନଭେମ୍ବର,୨୦୨୦) ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ,ବିକ୍ଷୋଭ,ରାସ୍ତାରୋକ, ଜେଲଭରୋ ଆନ୍ଦୋଳନ ସମେତ ଗ୍ରାମାଞ୍ଚଳ ଧର୍ମଘଟ ସଫଳତାର ସହିତ ଆୟୋଜିତ ହୋଇଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନ(୨୭ ନଭେମ୍ବର,୨୦୨୦) ସଂଗଠନର ଦେଶବ୍ୟାପୀ ପ୍ରତିବାଦ ଆହ୍ୱାନକୁ ସମର୍ଥନ ଜଣାଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ପ୍ରତିବାଦ ଧାରଣା ଆୟୋଜିତ ହୋଇଯାଇଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଷଢ଼ଯନ୍ତ୍ର ଓ ଦମନଲୀଳା ସତ୍ତ୍ୱେ ୨୬ ନଭେମ୍ବର ଧର୍ମଘଟର ସଫଳତା ପାଇଁ ଚାଷୀ-ମୂଲିଆ, ସଂଗଠିତ ଓ ଅଣ- ସଂଗଠିତ ଶ୍ରମିକ, ଛାତ୍ର-ଯୁବକ, ଆଦିବାସୀ-ଦଳିତ୍ ଓ ମହିଳା ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଵଳ ହାଡ଼ଭଙ୍ଗା ଶୀତ ମଧ୍ୟରେ ନିଜର ନ୍ୟାୟ ସଙ୍ଗତ ଅଧିକାର ପାଇଁ ଦିଲ୍ଲୀ ଅଭିମୂଖେ ଯାତ୍ରା କରୁଥିବା କୃଷକ ମାନଙ୍କ ଉପରେ ପାଣି ମାଡ ଓ ଲାଠି ଚାଳନାକୁ ଏହି ପ୍ରତିବାଦ ଧାରଣାରେ ତୀବ୍ର ନିନ୍ଦା କରାଯାଇଥିଲା । କେନ୍ଦ୍ର ବିଜେପି ସରକାରଙ୍କ ଦ୍ଵାରା ଯେପରି ଭାବେ କୃଷି ସମ୍ବନ୍ଧୀୟ ବିଲ୍ କୁ ସଂସଦର ଭିତରେ ଓ ବାହାରେ ଆଲୋଚନା ନକରି ଓ ସମସ୍ତ ବିରୋଧକୁ ବେଖାତିର୍ କରି ସଂଖ୍ୟାଗରିଷ୍ଠତାର ଧମକ୍ ଦେଖାଇ ଧ୍ୱନି ମତରେ ଜବରଦସ୍ତି ଆଇନରେ ପରିଣତ କରିଦିଆଗଲା, ତାହା କୃଷକ ମାନଙ୍କର ସର୍ବନାଶ କରିବ ବୋଲି ପ୍ରତିବାଦକାରୀ ମାନେ ମତବ୍ୟକ୍ତ କରିଥିଲେ । କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ଆଇନ୍ ପାରିତ କରାଇ କୃଷକ ମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସର୍ବନାଶ କରିବାର ନୀତି ମୋଦି ସରକାର ଗ୍ରହଣ କରିଛନ୍ତି । ତେଣୁ ଏହି ଜନବିରୋଧୀ କୃଷି ଆଇନ୍ ପ୍ରତ୍ୟାହାର କରିବା,କୃଷି କ୍ଷେତ୍ରକୁ କର୍ପୋରେଟ୍ ହାତରେ ଟେକିଦେବା ବନ୍ଦ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅସାଧୁ ସଂଶୋଧନ ବାତିଲ୍ କରିବା,ମଣ୍ତି ବ୍ୟବସ୍ଥାର ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କରିବା, ଜନବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରିବା, କମ୍ପାନୀ ଦ୍ଵାରା ଠିକା ଚାଷ ବ୍ୟବସ୍ଥା ବାତିଲ୍ କରିବା,ପାରମ୍ପରିକ ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦେବା, ପରିବେଶଗତ ପ୍ରଭାବ ଆକଳନ ନାମରେ ପରିବେଶକୁ ଧ୍ୱଂସ ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ ଧାରଣାକାରୀ ମାନେ ଆହ୍ୱାନ ଦେଇଥିଲେ । ଏହି ପ୍ରତିବାଦ ଧାରଣାରେ ଅଖିଳ ଭାରତ କିଶାନ୍ ମହାସଭାର ଅଶୋକ ପ୍ରଧାନ, କିଶାନ୍ ପଟ୍ଟନାୟକ, ଅଖିଳ ଭାରତ କିଶାନ୍ ସଭାର ସୁରେଶ ପାଣିଗ୍ରାହୀ, ଅଗ୍ରଗାମୀ କିଶାନ୍ ସଭାର ଜ୍ୟୋତି ରଞ୍ଜନ ମହାପାତ୍ର, ଲୋକଶକ୍ତି ଅଭିଯାନର ରାଜ୍ୟ ନେତା ତଥା ଋଷିକୂଲ୍ୟା ରୟତ ମହାସଂଘର ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରା, ଏବଂ ଇନସାଫ୍ ର ନରେନ୍ଦ୍ର ମହାନ୍ତିଙ୍କ ସହିତ ପ୍ରତିବାଦ ପ୍ରତି ସଂହତି ଜଣାଇ ସିଟୁ ପକ୍ଷରୁ ପୁଷ୍ପା ଦାସ ଓ ଏ.ଆଇ.ସି.ସି.ଟି.ୟୁ ପକ୍ଷରୁ ମହେନ୍ଦ୍ର ପରିଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୃଷକ ନେତା ଜଗନ୍ନାଥ ମିଶ୍ର, ବାମପନ୍ଥୀ ନେତା ଯୁଧିଷ୍ଠିର ମହାପାତ୍ର , ଅଭିରାମ ବେହେରା, ଜୟନ୍ତ ଦାସ, କର୍ମଚାରୀ ନେତା ଦୁଷ୍ମନ୍ତ ଦାସ, ନାରୀନେତ୍ରୀ ପ୍ରମୋଦିନୀ ସାହୁ, ଯୁବ ନେତା ପ୍ରଦୀପ୍ତ ନାୟକ, ଆମେ ଭାରତବାସୀର ମାନସ ପଟ୍ଟନାୟକ, ଅଖିଳ ଭାରତ କ୍ରାନ୍ତିକାରୀ କିଶାନ୍ ସଭାର ରାକେଶ୍ କାନୁନଗୋ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment