କୁଲାଡ଼ରେ ଆଜି ପୁଣି ଗଡ଼ିଲା ରଥ ।

ଭଞ୍ଜନଗର, ୨୧/୬(ପିପିଟି);ଭଞ୍ଜନଗର ନିକଟ ଐତିହ୍ୟ ସମ୍ପନ୍ନ କୁଲାଡ଼ ଠାରେ ଗତକାଲି ରଥଯାତ୍ରା ପାଳନ ସମୟରେ ପ୍ରଭୁ ଜଗନ୍ନାଥ ବିଜେଙ୍କ ରଥ ବଡ଼ ଦାଣ୍ଡରେ ଅଟକି ରହିଥିଲା।ଆଜି ମଧ୍ୟାହ୍ନରେ ପ୍ରଶାସନ ଓ ମନ୍ଦିର କର୍ମକର୍ତ୍ତାଙ୍କ ସହଯୋଗରେ ରଥ ପୁଣିଥରେ ଟଣା ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଥିଲା।ସେଠାରେ ଅନ୍ନଭୋଗ ପରେ ସନ୍ଧ୍ୟା ସମୟରେ ପହଣ୍ଡି ବିଜେ ହୋଇ ମହାପ୍ରଭୁ ମନ୍ଦିରରେ ପ୍ରବେଶ କରିଥିଲେ।ସନ୍ଧ୍ୟା ଆଳତୀ ଦର୍ଶନ କରିବା ପାଇଁ ବହୁ ଭକ୍ତ ମାଉସୀ ମା’ ମନ୍ଦିରରେ ଭିଡ଼ ଜମେଇ ଥିଲେ।ଭଞ୍ଜ ରାଜବଂଶ ପରେ ବର୍ତ୍ତମାନ ଦେବୋତ୍ତର ବିଭାଗ ପକ୍ଷରୁ କୁଲାଡ଼ ପ୍ରଭୁ ଜଗନ୍ନାଥ ବିଜେଙ୍କ ମନ୍ଦିର ପରିଚାଳିତ ହୋଇ ଚଳିତ ବର୍ଷ ବେଶ ଆନନ୍ଦ ଉଲ୍ଲାସର ସହିତ ଗତକାଲି ପ୍ରଭୁ ଜଗନ୍ନାଥ,ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଆରମ୍ଭ ହୋଇଥିଲା।ମନ୍ଦିର ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅଞ୍ଚଳ ସୁନ୍ଦର ଝୋଟିରେ ସଜ୍ଜିତ ହୋଇଥିଲା। ଠାକୁରଙ୍କ ପହଣ୍ଡି ବିଜେ ପରେ ଅପରାହ୍ନ ୪ଟାରେ ରାଜାଙ୍କ ବଂଶଧର ପ୍ରଶାନ୍ତ ଭଞ୍ଜଦେଓ ରଥରେ ଛେରା ପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା।ବିଳମ୍ବ ହେତୁ ସନ୍ଧ୍ୟାରେ ବଡ଼ଦାଣ୍ଡ ରେ କିଛି ବାଟ ଆସିବା ପରେ ବାମ ପାର୍ଶ୍ୱରେ ରଥ ଏକ ସିମେଣ୍ଟ ଖୁଣ୍ଟରେ ଲାଗି ଅଟକି ରହିଥିଲା।ଫଳରେ ରଥ ଟଣା ବନ୍ଦ ହୋଇ ଆଜି ଜେସିବି ସାହାଯ୍ୟରେ ରଥକୁ ସେଠାରୁ ବାହାର କରିବା ପରେ ଭଞ୍ଜନଗର ତହସିଲଦାର ଓ ପୁଲିସ କର୍ମଚାରୀ ଙ୍କ ଉପସ୍ଥିତିରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ରଥ ଯାଇ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲା।

 

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Comments (0)
Add Comment