କୁଲଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ।

ନୀଳଗିରି,୨୧/୧୧: ବନବିଭାଗ ପକ୍ଷରୁ ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଆଜିଠାରୁ ବାଘ ଗଣନା ଆରମ୍ଭ ହୋଇଛି । ବାଲେଶ୍ୱର ଡିଏଫଓ ପ୍ରଫୁଲ ମଲିକଙ୍କ ନିର୍ଦ୍ଦେଶକ୍ରମେ ଏସିଏଫଓ ତଟନୀ ସେଠୀଙ୍କ ତତ୍ତ୍ୱାବଧାନରେ କୁଲଡିହାରେ ଏନେଇ ୧୭ଟି ଟିମ ଗଠନ କରାଯାଇଛି । ବନକର୍ମଚାରୀମାନେ ଜଙ୍ଗଲର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ଅଫ୍‍ ପ୍ୟାରିସ ପକାଇ ବାଘର ପାଦଚିହ୍ନ ଠାବ କରୁଥିବା ସୂଚନା ମିଳିଛି । ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ରାପ କ୍ୟାମେରାକୁ ମଧ୍ୟ ତନଖି କରାଯାଉଛି । କୁଲଡିହା ଏସିଏଫ୍‍ଓ ସୁବ୍ରତ ବେହେରା ଉକ୍ତ ଟିମ ଗୁଡ଼ିକୁ ପରିଚାଳନା କରୁଛନ୍ତି । ଶିମିଳିପାଳରୁ ଖସି ଆସି ଏଠାରେ ଦୀର୍ଘ ପ୍ରାୟ ୮/୧୦ମାସ ଧରି ରହିଥିବା ଯମୁନା ବାଘୁଣୀ କିଛିଦିନ ପୂର୍ବରୁ ଅଚାନକ ଗାଏବ ହୋଇ ଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ତା’ ଚିତ୍ର ଟ୍ରାପ କ୍ୟାମେରାରେ କଏଦ ହୋଇଥିବା କୁହାଯାଉଛି । ୭ଦିନ ଧରି କୁଲଡିହାରେ ଏହି ବାଘ ଗଣନା କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡ଼ିଛି । କୁଲଡିହା ସମେତ ନୀଳଗିରି, ସୋର, ଜଳେଶ୍ୱର, ଚାନ୍ଦିପୁର ପ୍ରଭୃତି ରେଞ୍ଜ ମାନଙ୍କରେ ବାଘ ଗଣନା ପାଇଁ ୫୩ଟି ବିଟ୍‍ରେ ୨୫୦ରୁ ଊର୍ଦ୍ଧ୍ୱ ବନକର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

Comments (0)
Add Comment