ମାଲକାନଗିରି,୧୩/୦୮(ପିପିଟି):କୁଡୁମୁଲୁଗୁମ୍ମା ସ୍ଥିତ ଦେୱାନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ପ୍ରଥମ ଥର ଲାଗି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁମନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସରକାରୀ ଓକିଲ ସରୋଜ କୁମାର ସାହୁ, ଓକିଲ ବିଷ୍ଣୁ ପ୍ରସାଦ ନାଲ୍ଲା, ମୁଖ୍ୟ କିରାଣୀ ଅନୀଲ ଚନ୍ଦ୍ର ପ୍ରେମ୍, ବରିଷ୍ଠ କିରାଣୀ ବୃନ୍ଦାବନ ପଣ୍ଡା, ସ°ଗ୍ରାମ ମହାରଣା,ସୁପ୍ରିୟା ରାୟଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତରେ ସର୍ବମୋଟ ୩୨ ଗୋଟି ମାମଲାର ଫଏସଲା ହୋଇଥିଲା ବେଳେ ଦାଏର କେଶରେ ଜଡ଼ିତ ଅଭିଯୁକ୍ତମାନଙ୍କ ଠାରୁ ସମୁଦାୟ ୫୩,୪୦୦/- ଟଙ୍କାର ଜୋରିମାନା ରସିଦ ଆକାରରେ ଆଦାୟ କରାଯାଇଥିଲା । ଉକ୍ତ ୩୨ ଗୋଟି ମାମଲାଗୁଡିକ ମଧ୍ୟରେ ଏଫଆରଟି ୧୪ ଗୋଟି ,ୟୁସି ୧୬ ଗୋଟି ଓ ଜିଆର ୦୨ ଗୋଟି ମାମଲାର ଶୁଣାଣି ଓ ଫଏସଲା ହୋଇଥିଲା । ରାଷ୍ଟ୍ରୀୟ ଲୋକ ଅଦାଲତ ମାଧ୍ୟମରେ ମାମଲା ଗୁଡ଼ିକର ବିଚାର କରାଯାଇଥିବାରୁ ଗରିବ ଓ ଆର୍ଥିକ ସ୍ତରରେ ଦୁର୍ବଳ ବ୍ୟକ୍ତିମାନେ ବାରମ୍ବାର ଅଦାଲତକୁ ଦୌଡିବା ଓ ଅତ୍ୟଧିକ ଖର୍ଚ୍ଚାନ୍ତରୁ ରକ୍ଷା ପାଇବା ସହ ଉକ୍ତ ଫଏସଲାରେ ଖୁସି ଜାହିର କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)