ବ୍ରହ୍ମପୁର,୨୭/୦୯(ପିପିଟି): ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦ କୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ସାମିଲ ହୋଇଛନ୍ତି । ୩ ନୂତନ କୃଷି ଆଇନ ପ୍ରତ୍ୟାହାର , ନୂତନ ବିଦ୍ୟୁତ ସଂଶୋଧନ ଆଇନ ପ୍ରତ୍ୟାହାର , ଶ୍ରମିକ ବିରୋଧୀ ନୂତନ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର , ବ୍ୟାଙ୍କ ଓ ବୀମା ( ଏଲ୍ .ଆଇ .ସି ) ର ଘରୋଇକରଣ , ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି , ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧି , ପାରାଦ୍ୱୀପ ବନ୍ଦର ଓ ବିଜୁ ପଟ୍ଟନାୟକ ବିମାନବନ୍ଦର ସମେତ ଜାତୀୟ ମୁଦ୍ରିକରଣ ପାଇପଲାଇନ ନୀତି ମାଧ୍ୟମରେ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକର ଘରୋଇକରଣ ପ୍ରତିବାଦରେ ଆଜି କୁକୁଡ଼ାଖଣ୍ଡି ବ୍ଲକ ଏବଂ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ପୂର୍ବଦିନ ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ଭାରତ ବନ୍ଦକୁ ସଫଳ କରିବାପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ( ଏ.ଆଇ.ଏଫ୍.ବି ) , ଏବଂ ଡି.ୱାଇ.ଏଫ୍.ଆଇ ର ମିଳିତ ସଙ୍ଗଠନର କର୍ମକର୍ତ୍ତାମାନେ ଏକାଠି ହୋଇ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ , ବ୍ୟାଙ୍କ , ପୋଷ୍ଟ ଅଫିସ , ପେଟ୍ରୋଲ ପମ୍ପ ସବୁ ବନ୍ଦ କରିଥିଲେ । ଛକ ଗୁଡିକରେ ପିକେଟିଂ କରିବା ସହ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବ୍ରହ୍ମପୁର ରାୟଗଡ଼ା ଜାତୀୟ ରାଜ ପଥ ଅବରୋଧ କରିଥିଲେ । ଯାହାଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଯାତ୍ରୀ ପରିବହନ ସେବା ମଧ୍ୟ ବନ୍ଦ ରହିବା ସହ ବ୍ୟବସାୟୀ ମାନେ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ ରଖିଥିଲେ । ଜରୁରୀ କାମରେ କେବଳ କେତେକ ଯାନବାହନ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଥିଲା । ଆଜିର କାର୍ଯ୍ୟକ୍ରମରେ ଏ.ଆଇ.ଏଫ୍.ବି ର ଯୁବ ପ୍ରତିଭା ନେତା ପିଣ୍ଟୁ ପ୍ରଧାନ , ଅଜୟ କୁମାର ବେହେରା , ସନ୍ତୋଷ କୁମାର ଗୌଡ଼ , ଜଗା ବେହେରା , ସନ୍ତୋଷ ସ୍ୱାଇଁ , ସଞ୍ଜୟ ବେହେରା , ଅଜିତ ପାଣିଗ୍ରାହୀ , ରବି ଗୌଡ , ରବି ମଲି ,ଡି.ୱାଇ.ଏଫ୍.ଆଇ ତରଫରୁ ବ୍ଲକ ସେକ୍ରେଟେରୀ ପ୍ରଶାନ୍ତ କୁମାର ବିଷୟୀ ପ୍ରମୁଖ ନେତ୍ୱତରେ ଭାରତ ବନ୍ଦକୁ ସଫଳ କଲେ ।
(ରିପୋର୍ଟ – ଆରତ କୁମାର ହୋତା। )