ଧାନ ଫସଲର ଶ୍ଯାମଳ କ୍ଷେତରେ
କାଶତଣ୍ଡୀ ଦୂରୁ ଦିଶେ…..
ପଲ୍ଲୀ ପ୍ରାନ୍ତ ଶୋଭା ଅତି ମନଲୋଭା
ଶରତେ ହାସ ପ୍ରକାଶେ….!!
ଲହ ଲହ ଶୁଭ୍ର ବେଶ ପରି ପାଟି
ବୀଣାପାଣି ରୂପ ବହି….
ମନ୍ଦ ମଳୟରେ ଛନ୍ଦ ତୋଳି ନୃତ୍ୟ
ରଙ୍ଗେ କି ହୋଇଛି ବାଇ…!!
ଶୁଭ ସକାଳର କାକର ବିନ୍ଦୁର
ଟୋପା ଯେ ମୁକୁତା ହୋଇ…
ଦିଶେ ଝଲମଲ ରବିର କିରଣେ
ସ୍ବର୍ଣ୍ଣାଭ ସୁଶୋଭା ପାଇ….!!
ସନ୍ଧ୍ୟା ଯେବେ ଆସେ ଚାନ୍ଦ ଦେଖି ହସେ
କାଶତଣ୍ଡୀ ଶୁଭ୍ର ବର୍ଣ୍ଣା….
ରଜତ କରରେ କରି ଆଲିଙ୍ଗନ
ପ୍ରୀତି ପିୟୂଷରେ ବନ୍ୟା…!!
ଅଭିସାରିକା ସେ ଜହ୍ନ ଜ୍ୟୋତ୍ସ୍ନାରେ
ଭିଜି ଭିଜି କରେ ପ୍ରେମ….
ନିର୍ମଳ ଗଗନେ ଏ ମର୍ତ୍ତ୍ୟ ଭୁବନେ
ବିଚିତ୍ର ଏ ଶୋଭାବନ….!!
ଶରତ ପ୍ରବେଶ ହେଲା ବୋଲି ଜ୍ଞାତ
କାଶତଣ୍ଡୀ ହୁଏ ଦୃଶ୍ୟ…..
ସ୍ଵର୍ଗରୁ ଓହ୍ଲାଇ ଆସିବେ ଜନନୀ
ଦୂରିତ କରିବେ ନାଶ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭