କାଲିମେଳା ତହସିଲର ଆରଆଇ ଏବଂ କିରାଣୀ ନିଲମ୍ବିତ ।

ମାଲକାନଗିରି,ତା:୨୪/୦୧(ପିପିଟି); ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ତହସିଲରେ ଗତ ସେପ୍ଟେମ୍ବର ମାସରେ ସହରର ୧୮ ଜଣ ଧନାଢ୍ଯ ବ୍ଯକ୍ତିଙ୍କୁ ଜାଲିଆତି କରି ଘର ବାରି ପଟ୍ଟା ପ୍ରଦାନ କରାଯାଇଥିବା ଘଟଣା ସଂପର୍କରେ ପୂର୍ବତନ କାଲିମେଳା ସରପଞ୍ଚ ମୁକୁନ୍ଦ ନାଏକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲା ବେଳେ ସେହି ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ଏହାର ସତ୍ଯାସତ୍ଯ ଜଣାପଡିବା ପରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟ କାଲିମେଳା ତହସିଲ କାର୍ଯ୍ଯାଳୟ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ କିରାଣୀ ଦିବ୍ୟସିଂହ ପାଇକରାୟଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ଦୁଇ କର୍ମଚାରୀଙ୍କୁ ମୋଟୁ ତହସିଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରୁ ପ୍ରକାଶ ଯେ,ସରକାରୀ ନିୟମକୁ ଉଲଙ୍ଘନ କରି ସରକାରୀ ଜମିରେ ଜମି ଅଧିଗ୍ରହଣ କରି ଆସୁଥିବା କିଛି ଧନାଢ୍ଯ ମାଲିକମାନଙ୍କ ସହ କାଲିମେଳା ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ମୋଟା ଅଙ୍କର ଟଙ୍କା ନେଇ ଭିତିରିଆ ୧୮ ଜଣ ବ୍ଯକ୍ତିଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ । ପଟ୍ଟା ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଠିକାଦାର, ବଡ ବ୍ୟବସାୟୀ, ରାଜନୈତିକ ବ୍ଯକ୍ତି ଏବଂ ସରକାରୀ ଚାକିରୀ କରୁଥିବା ପରିବାର ଅନ୍ତର୍ଭୁକ୍ତ।ସ୍ଥାନୀୟ ଗରିବ ଲୋକେ ପଟ୍ଟା ମିଳୁନଥିବାରୁ ନିଜର ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିପାରୁ ନ ଥିବାବେଳେ ଏମାନଙ୍କୁ ବସୁନ୍ଧରା ଯୋଜନା କିମ୍ବା ଲିଜ ପଟ୍ଟା ମଧ୍ୟ ପ୍ରଦାନ କରାଯାଉ ନାହିଁ । କାଲିମେଳା ସଦରରେ ଶହ ଶହ ହିତାଧିକାରୀ ଇନକ୍ରୋଚମେଣ୍ଟ କରି ଘର କରିଥିଲେ ମଧ୍ଯ ଜମି ପଟ୍ଟା ପାଇବାରୁ ବର୍ଷ ବର୍ଷ ଧରି ବଞ୍ଚିତ ହୋଇ ଆସୁଛନ୍ତି । ସ୍ଥାନୀୟ ବସ୍ତିବାସିନ୍ଦାଙ୍କୁ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଗଲା ନାହିଁ, ଯାହାଫଳରେ ବ୍ୟକ୍ତିଗତ ଋଣ, ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ପାଇପାରୁ ନାହିଁନ୍ତି। ଅନ୍ଯ ପକ୍ଷେ ପୁଞ୍ଜିପତିମାନଙ୍କୁ ସରକାରୀ ଜମିର ପଟ୍ଟା ପ୍ରଦାନ କରାଯାଉଛି । ଫଳରେ ମାଲକାନଗିରି ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ୧୮ ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି ସେମାନେ ବାହାର ଜିଲ୍ଲାର ହେବା ସହ ଧନୀକ ଶ୍ରେଣୀର ବ୍ୟକ୍ତିମାନେ ବୋଲି ଜଣାପଡିଥିଲା। ତେବେ କାଲିମେଳା ତହସିଲର କିରାଣୀ ଏବଂ ରାଜସ୍ବ ନିରୀକ୍ଷକଙ୍କ ସମେତ ଅନ୍ୟ କେଉଁମାନେ ଏଥିରେ ସଂଶ୍ଲିଷ୍ଟ ରହିଛନ୍ତି ସେନେଇ ତଦନ୍ତ କରାଯାଇ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ।)

Comments (0)
Add Comment