ମାଲକାନଗିରି,୩୦/୦୪(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ତଙ୍ଗପାଲ ପୁଲିସ ବେଆଇନ ଭାବେ ଟଙ୍କା ଚାଲାଣ କରୁଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହାବ୍ୟତୀତ ଏଥିରେ ବ୍ୟବହାର ହୋଇଥିବା କାର୍ ଏବଂ ଅଭିଯୁକ୍ତ ନିକଟରୁ ପୁଲିସ ମୋଟ ୨୯ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି । ସୂଚନା ମୁତାବକ ସୁକମା ଜିଲ୍ଲାରେ ନିଷିଦ୍ଧ ନିଶା ନିବାରଣ ଓ ଗଞ୍ଜେଇ କାରବାର ରୋକିବା ପାଇଁ ଜିଲ୍ଲାରେ ଏକ ନିରନ୍ତର ଅଭିଯାନ ଚଳାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ଏଥିପାଇଁ ତଙ୍ଗପାଲରେ ମୋବାଇଲ୍ ଚେକପୋଷ୍ଟ ଲଗାଇ ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିମୋଟର ଗୁଡ଼ିକୁ ଯାଞ୍ଚ କରାଯାଇଥାଏ । ଏହି ସମୟରେ ସୁକମା ଆଡୁ ଦ୍ରୁତଗତିରେ ଆସୁଥିବା ଏକ କାରକୁ ତଙ୍ଗପାଲ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ଏହି କାରଟି ପୁଲିସକୁ ଚକମା ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସର ଏକ ଟିମ୍ ପିଛା କରି ଏହି ଗାଡ଼ିକୁ କାବୁ କରିବାରେ ସଫଳ ହୋଇଥିଲା । ଏହାପରେ ଗାଡ଼ିଟିକୁ ଖୋଜାଖୋଜି କରାଯିବାରୁ କାର୍ ପଛପଟ ସିଟରେ ଏକ ବାକ୍ସ ତିଆରି କରି ଏକ ପ୍ଲାଷ୍ଟିକ୍ ଅଖା ଭିତରେ ବିପୁଳ ପରିମାଣର ଟଙ୍କା ଲୁଚାଇ ରଖାଯାଇଥିବା ପୁଲିସ ଦେଖିବାକୁ ପାଇଥିଲା । ଏହା ପରେ ଦୁଇ ସାକ୍ଷୀଙ୍କ ଉପସ୍ଥିତି ରେ ଟଙ୍କା ସବୁ ଗଣତି କରାଯାଇ ଥିବା ବେଳେ ସେଥିରେ ୨୯ ଲକ୍ଷ ୮୦ ହଜାର ଟଙ୍କା ରହିଥିବା ପୁଲିସ ଜାଣିବାକୁ ପାଇଥିଲା । ତେବେ ଟଙ୍କା ଚାଲାଣ ସଂପର୍କରେ କାର୍ ଡ୍ରାଇଭରକୁ ପଚରାଯିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲା । ଯାହାଫଳରେ ପୁଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମବ୍ରାଞ୍ଚର ଧାରା ୧୦୨ ଅନୁଯାୟୀ ଏକ ଅପରାଧିକ ମାମଲା ରୁଜୁ କରି କାର୍ ଡ୍ରାଇଭରକୁ ଗିରଫ କରିଥିଲା । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆୟକର ବିଭାଗକୁ ସୂଚନା ଦିଆଯାଇଥିବା ସୁକମା ଏସପି ସୁନିଲ କୁମାର ଶର୍ମା କହିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବ୩ଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)