ମାଲକାନଗିରି,୨୬/୦୩(ପିପିଟି): କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ଆଜି ଏକ କାର୍ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନେ ହେଲେ ଗଙ୍ଗା କବାସୀ ଓ ଲଚ୍ଛା ମାଢ଼ି। ସୂଚନା ଅନୁସାରେ ଗଙ୍ଗା ଓ ଲଚ୍ଛା ନିଜ ସମ୍ପର୍କୀୟ ଘରକୁ ଯାଇ ଫେରୁଥିବା ବେଳେ ପୋତାଖାଲ ନିକଟରେ ବାଇକ ସହ କାର ମୁହାଁମୁହିଁ ଧକା ହୋଇଥିଲା। କାରଟି ଦ୍ରୁତଗତିରେ କାଲିମେଳା ଆଡୁ ମାଲକାନଗିରି ଅଭିମୁଖେ ଯାଉଥିବା ସମୟରେ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ବାଇକଟି କାରର ଇଞ୍ଜିନ ଭିତରେ ପଶି ଯାଇଥିଲା। ବାଇକ୍ରୁ ଦୁଇଜଣ କାର ଉପର ଦେଇ ପଛ ପଟକୁ ଛିଟିକି ପଡି ଘଟଣା ସ୍ଥଳରେ ଦୁହିଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ସୂଚନା ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆମ୍ବୁଲାନ୍ସ ଯୋଗେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ଦୁର୍ଘଟଣା ଘଟାଇବା ପରେ କାର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)