ଦିଗପହଣ୍ଡି, ୦୨/୧୨(ପିପିଟି); କଥାରେ ଅଛି ଜଳ ହିଁ ଜୀବନ । ଜଳ ବିନା ସଂସାର ଶୂନ୍ୟ । ରାଜ୍ୟ ସରକାର ଜଳ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରନ୍ତି । ହେଲେ ସେ ଟଙ୍କା ଠିକ୍ ସେ କାମରେ ଲାଗିପାରୁନି । ପଇସା ଆସୁଛି ହେଲେ କେଉଁଠି ଖର୍ଚ୍ଚ ହେଉଛି ତାହା ଜାଣି ହେଉନି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୋରଡା ପଞ୍ଚାୟତ ରାଜପୁର ଗ୍ରାମ । ସେହି ଗ୍ରାମରେ ପାନୀୟ ଜଳର ଘୋର ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ୩ବର୍ଷ ତଳେ ବସୁଧା ଯୋଜନାରେ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ହେଲେ ଅତି ଦୁଃଖର ବିଷୟ ପାଣି ଟ୍ୟାଙ୍କଟି କେବଳ ନାମକୁ ମାତ୍ର ନିର୍ମାଣ କରି ରଖାଯାଇଛି । କଣ୍ଟ୍ରାକ୍ଟର ପାଇପ ଲାଇନ ସଜାଡିବାକୁ ଆସନ୍ତି ସେତେବେଳେ ହିଁ କିଛି ସମୟ ପାଣି ଚାଲେ ଆଉ ତା ପରେ ଚାଲେନି । ଲୋକ ମାନଙ୍କ ଆଶା ଆଶାରେ ହିଁ ରହିଯାଇଛି । ଆଜି ଆମେ କିଛି ଗ୍ରାମର ଲୋକ ମାନଙ୍କଠୁ ପ୍ରତିକ୍ରିୟା ନେବାରୁ ସେ କହିଲେ ପାଣି ଆମ ପାଇଁ ସାତ ସପନ । ଏବେ ୧୫ ଦିନ ହେବ ସକାଳ ୬ଟା ରୁ ୭ଟା ୧ଘଣ୍ଟା ପାଣି ଚାଲୁଛି । କାହାକୁ ମିଳୁଛି ତ କାହାକୁ ମିଳୁନି । କିଛି ସ୍ଥାନରେ ଏବେ ମଧ୍ୟ ଭଗ୍ନ ଅବସ୍ଥାରେ ପାଣି ଟ୍ୟାପ୍ ପଡ଼ିରହିଛି ଏହାକୁ କେହିବି ମରାମତି କରୁନାହାନ୍ତି । ଦୀର୍ଘ ୨ ବର୍ଷ ପରେ ପାଣି କିଛି ସମୟ ପାଇଁ ଆସୁଛି । ଦିଗପହଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ଅଫିସ ଠୁ ମାତ୍ର ୫୦୦ ମିଟର ଦୂରରେ ଏହି ପାଣି ଟ୍ୟାଙ୍କ ଅବସ୍ଥିତ । ଏଠି ପ୍ରଶ୍ନ ଉଠୁଛି ଯେ ଏତେ ପାଖରେ ପାଣି ଟ୍ୟାଙ୍କ ଟି ଥାଇ ମଧ୍ୟ ଅଧିକାରୀଙ୍କ ନଜରରେ କେମିତି ପଡୁନି ଏହି ଟ୍ୟାଙ୍କ । ସାରା ବ୍ଲକ ରେ ଏମିତି କେତେ ଟ୍ୟାଙ୍କ ଥିବ ଏବଂ କେତେ ଲୋକ ହଇରାଣ ହେଉଥିବେ ଏହା ତାଙ୍କ ପାଖରେ ହିସାବ ନଥିବ । ଏବେ ବାକି ରହିଲା ବିଭାଗୀୟ କର୍ତ୍ତୃପକ୍ଷଙ୍କ କେବେ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ ଏବେ କେବେ ନିରୀହ ଲୋକ ମାନଙ୍କ ଦୁଃଖ ବୁଝିବେ ।ଦିଗପହଣ୍ଡିରେ କାର୍ଯ୍ୟରତ କରିତ୍କର୍ମା ଯନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଆଗାମୀ ଦିନରେ ପିପିଟି ନ୍ଯୁଜ୍ ରେ ଖବର ପ୍ରକାଶ ପାଇବ।
(ରିପୋର୍ଟ- ଆରତ କୁମାର ହୋତା। )