କାମୱାଡ଼ା ଠାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି ।

ମାଲକାନଗିରି, ୨୭/୦୭(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନିର୍ଦ୍ଦେଶକ୍ରମେ କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କାମୱାଡ଼ା ଗ୍ରାମ ପଞ୍ଚାୟତଠାରେ ଜିଲ୍ଲା ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜନସାଧାରଣଙ୍କ ପକ୍ଷରୁ ମୋଟ ୫୧ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା, ଯେଉଁଥିରୁ ୧୩ଟି ବ୍ୟକ୍ତିଗତ ଏବଂ ୩୮ଟି ସାମୂହିକ ଅଭିଯୋଗ ରହିଥିଲା । ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ବନଖଣ୍ଡ ଅଧିକାରୀ ସାଇ କିରଣ ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ପ୍ରମୁଖ ଉଚ୍ଚପଦସ୍ଥ ଅଧିକାରୀମାନେ ମଞ୍ଚାସୀନ ରହି ସାଧାରଣ ଜନତାଙ୍କ ବିଭିନ୍ନ ସମସ୍ୟାର ସମୀକ୍ଷା କରିବା ସହ ତାର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ମୁଖ୍ୟ ଶିବିର ସହିତ ସେଠାରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ତତ୍କାଳ ସରକାରୀ ସେବା ପ୍ରଦାନ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପୃଥକ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା । ଏଭଳି ପ୍ରଶାସନିକ ଶିବିର ସ୍ଥାନୀୟ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସହାୟକ ହେବ, କାରଣ ଏହା ଦ୍ୱାରା ଲୋକମାନେ ନିଜ ଅଞ୍ଚଳରେ ହିଁ ସମସ୍ତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ଏକାଠି ଭେଟିବାର ସୁଯୋଗ ପାଇଥାନ୍ତି । ଏହା ଫଳରେ ସାଧାରଣ ଲୋକଙ୍କ ସମସ୍ୟାର ସିଧାସଳଖ ଓ ଦ୍ରୁତ ସମାଧାନ ସମ୍ଭବ ହେବା ସହ ବିଭିନ୍ନ ସରକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚିପାରୁଛି । ଏହାସହ ସାଧାରଣ ଜନତାଙ୍କୁ ନିଜ ଅଭିଯୋଗ ପାଇଁ ଦୂରବର୍ତ୍ତୀ ଜିଲ୍ଲା ସଦର ମହକୁମାକୁ ଦୌଡ଼ିବାକୁ ପଡୁ ନାହିଁ, ଯାହା ସେମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବାରେ ବେଶ୍ ସହାୟକ ହେଉଛି । ଏହି ଶିବିରରେ କୋରକୁଣ୍ଡା ବିଡିଓଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment