କଳିଙ୍ଗା ଘାଟି ରାସ୍ତା ନିର୍ମାଣରେ ବିଳମ୍ବ; ବିକଳ୍ପ ରାସ୍ତା ପାଇଁ ବିଧାୟକଙ୍କ ସ୍ଥିତି ଅନୁଧ୍ୟାନ ।

ଭଞ୍ଜନଗର, ୧୭/୧୦(ପିପିଟି ):୧୫୭ନଂ ଜାତୀୟ ରାଜପଥ ଅନ୍ତର୍ଗତ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି ରାସ୍ତା ଏକ ମାସ ହେଲା ବନ୍ଦ ରହିଛି।ଯାହାକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣଙ୍କର ଚିନ୍ତା ବଢ଼ି ଯାଇଛି।ଗତ ମାସ ୧୬ତାରିଖରେ ଭୁସ୍ଖଳନ ଯୋଗୁଁ ପାହାଡ଼ ଉପରୁ ଅନେକ ପଥର ଖସିବା ସହ ମାଟି ଅତଡ଼ା ଧସି ରାସ୍ତା ଧୋଇ ହୋଇ ଯାଇଥିଲା। ପ୍ରବଳ ବର୍ଷା ଯୋଗୁଁ ନିର୍ମାଣାଧୀନ ରାସ୍ତା ମଧ୍ୟ ବାରମ୍ବାର ଧୋଇ ହୋଇ ଯାଉଛି।ଯାହା ଫଳରେ ଏହି ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।ତେଣୁ ଏସବୁ ସମସ୍ୟା କୁ ଦେଖି ଏକ ବିକଳ୍ପ ରାସ୍ତା ନିର୍ମାଣ ପାଇଁ ପଂଙ୍ଗୁଲୁ ଠାରୁ ବାଲିଆପଟା ଜଙ୍ଗଲ ରାସ୍ତାରେ ଆଜି ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକଙ୍କ ସମେତ ଭଞ୍ଜନଗରର ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରାୟ ୧୦ କିମି ଜଙ୍ଗଲ ରାସ୍ତା ବାଇକ ଯୋଗେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଭଞ୍ଜନଗର ବ୍ଲକ ଦୁର୍ଗାପ୍ରସାଦ ରାସ୍ତା ନିକଟ ଘାଟିର ତଳ ଭାଗରେ ଥିବା ପଙ୍ଗୁଲୁ ଗାଁ ଦେଇ ଯାଇଥିବା ଏହି ରାସ୍ତା ବାଲିଆପଟା ହୋଇ କଳିଙ୍ଗା ଘାଟିର ଶୀର୍ଷ ଭାଗରେ ପହଞ୍ଚିଛି।ହେଲେ ଉକ୍ତ ଜଙ୍ଗଲିଆ ରାସ୍ତାଦେଇ କେତେକ ସ୍ଥାନରେ ଝରଣା ପ୍ରବାହିତ ହେଉଥିବାରୁ ରାସ୍ତାର କେତେକାଂଶ ବହୁତ ଖରାପ ହୋଇ ରହିଛି । ଯଦି ସରକାର ଏହି ରାସ୍ତା ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରନ୍ତି ତାହେଲେ କିଛି ମାତ୍ରାରେ ଯାତାୟତ ସ୍ୱାଭାବିକ ହୋଇପାରିବ।ଅନ୍ୟପଟେ ଏହି ରାସ୍ତା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ସିମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠି ଉଭୟ ଜିଲ୍ଲାର ଜଙ୍ଗଲ ଜମି ରହିଛି।ତେଣୁ ଏଭଳି ସ୍ଥିତିରେ କିପରି ଭାବରେ ରାସ୍ତା ନିର୍ମାଣ ହେବ ସେ ନେଇ ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଜଙ୍ଗଲ ରାସ୍ତା ପରିଦର୍ଶନ କରି ଆଲୋଚନା କରିଛନ୍ତି । ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଏବିଷୟରେ ଅବଗତ କରିବା ପରେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଧାୟକ ଆଜି ଏହି ଘଞ୍ଚ ଜଙ୍ଗଲ ଗସ୍ତରେ ଆସି ଥିବାରୁ ଭଞ୍ଜନଗର ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭୂସ୍ଖଳନରେ ଭୁଶୁଡ଼ି ପଡିଥିବା କଳିଙ୍ଗା ଘାଟି ରାସ୍ତା କାମ ମାସକ ପରେ ବି ସରିନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜନସାଧାରଣ ଆବଶ୍ୟକତାକୁ ଗୁରୁତର ଭାବେ ନ ନେବା ଯୋଗୁ କାମ ମନ୍ଥର ଗତିରେ ଚାଲିଛି।
ଆସନ୍ତା ୨୫ ତାରିଖ ସୁଦ୍ଧା ଚାରିଚକିଆ ଏବଂ ଦୁଇ ଚକିଆ ଯାନକୁ ପରୀକ୍ଷାମୂଳକ ଭାବେ ଉକ୍ତ ରାସ୍ତାରେ ଚଲାଇବା ଲକ୍ଷ୍ୟରେ କାମ ଚାଲିଛି ବୋଲି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଭଞ୍ଜନଗରରେ ହୋଇଥିବା ଏକ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି। ଏଭଳି ସ୍ଥିତିରେ ଭବିଷ୍ୟତକୁ ଆଖି ଆଗରେ ରଖି ସେଠାରେ ପୂର୍ବରୁ ଥିବା ଆଉ ଏକ ଅସ୍ଥାୟୀ ରାସ୍ତାକୁ ସବୁଦିନିଆ ରାସ୍ତା ଭାବେ ଖୋଲିବା ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ।ଯାହାକୁ ନେଇ ଶୁକ୍ରବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ବିକଳ୍ପ ରାସ୍ତା ଅନୁଧ୍ୟାନ କରିବାକୁ ଯାଇଥିଲେ। ଉକ୍ତ ରାସ୍ତାରେ କୌଣସି ବଡ ଘାଟି ନଥିଲେ ମଧ୍ୟ ପ୍ରାୟ ୫ କିମି. ରାସ୍ତା ରହିଛି। ତେଣୁ ଭବିଷ୍ୟତକୁ ଦେଖି ଉକ୍ତ ରାସ୍ତାଟି ବିକଳ୍ପ ରାସ୍ତା ଭାବେ ବ୍ୟବହାର କିଭଳି ହେବ ସେ ନେଇ ସମସ୍ତେ ମତ ଦେଇଥିଲେ ।
ଏଥିପାଇଁ ଆଗାମୀ ଦିନରେ ସରକାରଙ୍କ ଅନୁମୋଦନ ଲୋଡାଯିବ ବୋଲି ଜଣାପଡିଛି। ବିଧାୟକଙ୍କ ଅନୁଧ୍ୟାନ ବେଳେ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା, ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନୀଳାଚଳ ଖିଲାର, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, କ୍ଷୁଦ୍ର ଜଳସେଚନ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment