କଳିଙ୍ଗା ଘାଟିରେ ଓଲଟିଲା ଖମ୍ବେଶ୍ୱରୀ ବସ୍ ।

କଳିଙ୍ଗା ଘାଟିରେ ଓଲଟିଲା ଖମ୍ବେଶ୍ୱରୀ ବସ୍ ।

ଭଞ୍ଜନଗର,୧୪/୦୩(ପିପିଟି):କଳିଙ୍ଗା ଘାଟିରେ ମାସରେ ପ୍ରାୟ ୧୦ରୁ ୧୫ଟି ଛୋଟବଡ ଦୁର୍ଘଟଣା ଘଟୁଛି।ଆଜି ସକାଳେ ପୁଣିଥରେ ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା କଳିଙ୍ଗା ଘାଟିରେ ଭୋର ସମୟରେ ଖମ୍ବେଶ୍ୱରୀ ବସ୍ ରାସ୍ତା ଉପରେ ଓଲଟି ପଡିଛି। ଏଥିରେ ୭ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ ଅଣାଯାଇଥିଲା। ସେଥିମଧ୍ୟରୁ ଜଣକୁ ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।
ଅନ୍ୟ ଆହତ ମାନେ ସାମାନ୍ୟ ଆହତ ହୋଇଛନ୍ତି। ଖମ୍ବେଶ୍ୱରୀ ବସ୍ ଟି ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଗୁରୁବାର ରାତିରେ ବାହାରିଥିଲା। ବସ୍ ରେ ୧୭ ଜଣ ଯାତ୍ରୀ ଥିଲେ। ବସ୍ ର ଚାଳକ କଳିଙ୍ଗା ଘାଟିରେ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ବସ୍ ଟି ଓଲଟି ପଡିଥିଲା।ଅଧିକାଂଶ ଯାତ୍ରୀମାନେ ବସ୍ ରେ ଶୋଇଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ। ଖବର ପାଇ ଦୁର୍ଗାପ୍ରସାଦ ଗ୍ରାମବାସୀ ଏବଂ ଅନ୍ୟ ଯାତ୍ରୀ ମାନେ ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିଲେ। ଭଞ୍ଜନଗର ଏବଂ ଜି. ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment