ଭୁବନେଶ୍ୱର,୦୪/୧୨: ସିପିଆଇ(ଏମ-ଏଲ) ରେଡ଼ ଷ୍ଟାରର ପଲିଟ ବ୍ୟୁରୋ ସଦସ୍ୟ କମ୍ରେଡ଼ ଶିବରାମଙ୍କର ୨୮/୧୧/୨୦୨୧ରେ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ଭୁବନେଶ୍ଵର ସ୍ଥିତ ପାର୍ଟି କାର୍ଯ୍ୟାଳୟ ଇନକିଲାବ ଭବନଠାରେ ପାର୍ଟି କେନ୍ଦ୍ର କମିଟିର ବୈଠକ ୨୯ ନଭେମ୍ବର ୨୦୨୧ରୁ ୨ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ବସିଥିଲା। ଏହି ବୈଠକରେ ଆସନ୍ତା ୨୪ ସେପ୍ଟେମ୍ୱର ୨୦୨୨ରୁ ୨୯ ସେପ୍ଟେମ୍ୱର ୨୦୨୨ ପର୍ଯ୍ୟନ୍ତ କେରଳର କୋଜିକୋଟ ଠାରେ ହେବାକୁ ଥିବା ଦ୍ବାଦଶ ପାର୍ଟି କଂଗ୍ରେସ ପାଇଁ ଚିଠା କାର୍ଯ୍ୟକ୍ରମକୁ ସ୍ଥିର କରାଯାଇଥିଲା।ଏହି ପାର୍ଟି କଂଗ୍ରେସରେ ଭାରତର ଠୋସ ପରିସ୍ଥିତିରେ ଜନଗଣତାନ୍ତ୍ରିକ ବିପ୍ଳବର କେନ୍ଦ୍ରୀୟ ବିଷୟ ଭାବେ ଶ୍ରେଣୀ ସଂଘର୍ଷ, ଜାତି ବିରୋଧି ସଂଘର୍ଷ ଏବଂ ଲିଙ୍ଗଗତ ବୈଷମ୍ୟତା ବିରୋଧି ସଂଘର୍ଷ ଭିତରେ ଅବିଚ୍ଛେଦ୍ୟ ସଂପର୍କକୁ ଏହି ଚିଠା କାର୍ଯ୍ୟକ୍ରମରେ ପ୍ରାଧାନ୍ୟତା ଦିଆଯାଇଚି। ପୁଞ୍ଜି ଓ ପ୍ରକୃତି ଭିତରେ ଅନ୍ତର୍ବିରୋଧକୁ ପ୍ରଧାନ ଅନ୍ତର୍ବିରୋଧ ଏବଂ ପରିବେଶ ପ୍ରଶ୍ନର ଅବସ୍ଥାନ ସହ ପ୍ରକୃତି ସହ ସନ୍ତୁଳନ ରକ୍ଷା କରି ବିକାଶର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକାକୁ ଏହି ଚିଠାରେ ପ୍ରାଧାନ୍ୟତା ଦିଆଯାଇଛି। ଆଜି ଯେତେବେଳେ ଏହି ପ୍ରେସ ବାର୍ତ୍ତା ଚାଲିଛି, ଓଡ଼ିଶା ଉପକୂଳ ଅଞ୍ଚଳକୁ ଭୟଭୀତ କରି ମାଡି ଆସୁଥିବା ଘୂର୍ଣ୍ଣିବଳୟ ପୁଣି ଥରେ ବାତ୍ୟାର ରୂପ ନେଇଚି, ଏହା ବାରମ୍ବାର ଘଟୁଚି, ଏବଂ ଏହା କର୍ପୋରେଟ ବିକାଶର ପରିଣତି ସ୍ବରୂପ ବିଧ୍ବସ୍ତ ପରିବେଶର ପ୍ରତ୍ୟକ୍ଷ ପରିଣାମ ଏବଂ ଏହି ପରିପ୍ରେକ୍ଷୀରେ ପରିବେଶ ସଂପର୍କରେ ପାର୍ଟିର ପ୍ରସ୍ତାବ ଆହୁରୀ ଗୁରୁତ୍ତ୍ଵ ରଖେ। କୃଷି କ୍ଷେତ୍ରର କର୍ପୋରେଟିକରଣ ବିରୁଦ୍ଧରେ ଚାଲିଥିବା ଐତିହାସିକ କୃଷକ ଆନ୍ଦୋଳନକୁ କେନ୍ଦ୍ରୀୟ କମିଟି ପ୍ରଶଂସା କରିବା ସହ ମୋଦୀ ସରକାର ଘୃଣ୍ୟ ୩ କୃଷି ଆଇନ ବାଧ୍ୟତାମୂଳକ ପ୍ରତ୍ୟାହାରକୁ ସଂଘର୍ଷରତ କୃଷକମାନଙ୍କର ଏକ ଐତିହାସିକ ବିଜୟ ରୂପେ ପାର୍ଟି କୃଷକମାନଙ୍କୁ ଅଭିନନ୍ଦିତ କରିଥିଲା। ଏହା ସହ କୃଷି କ୍ଷେତ୍ରର କର୍ପୋରେଟିକରଣ ବିରୁଦ୍ଧରେ ନିଜର ଅଟଳ ସଂଘର୍ଷ ଏବଂ ବିଭିନ୍ନ ରାଜ୍ୟର ବିଶେଷ ପରିସ୍ଥିତି ଅନୁଯାୟୀ ଆଇନଗତ ଗ୍ୟାରେଣ୍ଟି ସହ ସର୍ବନିମ୍ନ ସହାୟକ ମୂଲ୍ୟ(MSP) ଏବଂ ମଣ୍ଡି (APMC) ପ୍ରତିଷ୍ଠା ପାଇଁ କୃଷକମାନଙ୍କ ସଂଘର୍ଷକୁ ସମର୍ଥନ ଦେବା ସହ ଆନ୍ଦୋଳନକୁ ଆଗେଇନେବାର ରଣନୀତି ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ କମିଟି, ରାଷ୍ଟ୍ରୀୟ ପରିସ୍ଥିତିର ବିଶ୍ଳେଷଣ ଆଧାରରେ ଏବଂ ବିଶ୍ବର ବିବିନ୍ନ ଅଂଶରେ ନବ୍ୟ-ଫାଶିବାଦ ଉତ୍ଥାନ ପରିପ୍ରେକ୍ଷୀରେ ଭାରତର ବିଶେଷ ପରିସ୍ଥିତିରେ ଆର.ଏସ.ଏସ ନେତୃତ୍ବରେ ଚାଲିଥିବା କର୍ପୋରେଟ-ଗୈରିକ ଫାଶିବାଦୀ ଶାସନ ବିରୁଦ୍ଧରେ ସଂଘର୍ଷକୁ ଆଗେଇନେବାର ନିର୍ଣ୍ଣୟ ନେଇଛି। ଏହାର ଅଂଶ ଭାବେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନରେ “ବିଜେପିକୁ ପରାସ୍ତ କର, ଗଣତନ୍ତ୍ର ରକ୍ଷା କର” ନାରା ଆଧାରରେ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି। ଆହୁରୀ ମଧ୍ୟ ମୋଦି ସରକାରକୃତ ତୈଳ ଦରରେ ବୃଦ୍ଧି, ଯାହା ଫଳରେ ସମସ୍ତ ବସ୍ତୁର ଆକାଶଛୁଆଁ ଦରବୃଦ୍ଧି ଘଟୁଚି, ତା’ ବିରୁଦ୍ଧରେ କେନ୍ଦ୍ରୀୟ କମିଟି ସର୍ବଭାରତୀୟ ସ୍ତରରେ ସଂଘର୍ଷର ଆହ୍ବାନ ଦେଇଚି। ଦ୍ବାଦଶ ପାର୍ଟି କଂଗ୍ରେସକୁ ସଫଳ କରିବା ପାଇଁ ସମସ୍ତ କମ୍ୟୁନିଷ୍ଟ, ବିପ୍ଳବୀ ଗଣତାନ୍ତ୍ରିକ ଶକ୍ତିମାନଙ୍କୁ କେନ୍ଦ୍ରୀୟ କମିଟି ନିବେଦନ କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟି ର ସାଧାରଣ ସମ୍ପାଦକ କେ. ଏନ୍ ରାମଚନ୍ଦ୍ରନ, କେନ୍ଦ୍ରୀୟ କମିଟି ସଦସ୍ୟ ଅରୁଣ, ରାଜ୍ୟ ସଂପାଦିକା ପ୍ରମିଳା ବେହେରା, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସବ୍ୟସାଚୀ ମହାପାତ୍ର, ରଞ୍ଜନ ମିଶ୍ର,ବସ୍ତି ସୁରକ୍ଷା ମଞ୍ଚର ସଭା ନେତ୍ରୀ ହେନା ରାଣୀ ବାରିକ, ଶ୍ରମିକ ନେତା ସୁବଳ ଚରଣ ସାହୁ ଏବଂ ରାଜେନ୍ଦ୍ର ପ୍ରସାଦ ବାରିକ ଉପସ୍ଥିତ ଥିଲେ ।