କରୋନାରେ ମୃତ ବ୍ୟକ୍ତିଙ୍କୁ ଜାମପଲ୍ଲୀ ଗ୍ରାମବାସୀଙ୍କ ବିରୋଧ :ସ୍ମଶାନରୁ ପୋଲିସ ହଟାଇଲା ବ୍ୟାରିକେଡ଼ ।

ଭଞ୍ଜନଗର,୦୭/୦୫(ପିପିଟି); କରୋନାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଭୟଭୀତ। କରୋନା ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ନିଜ ପରିବାର ଠାରୁ ଆରମ୍ଭ କରି ସ୍ମଶାନ ନିକଟରେ ରହୁଥିବା ଅଞ୍ଚଳ ବାସୀଙ୍କ ତୀବ୍ର ବିରୋଧ। ଯାହାଫଳରେ ସେହି ମୃତକଙ୍କ ନିମନ୍ତେ ସ୍ମଶାନ ଦ୍ୱାର ମଧ୍ୟ ବନ୍ଦ ହୋଇଯାଇଛି। ଗତ ତିନି ଦିନ ହେଲା ଭଞ୍ଜନଗର ଠାରେ କରୋନା ରୋଗରେ ଆକ୍ରାନ୍ତ ରୋଗୀର ମୃତ୍ୟୁ ପରେ ପରିବାର ଲୋକେ କରୋନା ଭୟରେ ମୃତଦେହ ନେବାକୁ ମନା କରିବାରୁ ପ୍ରଶାସନ ତରଫରୁ ଭଞ୍ଜନଗର ଲଣ୍ଡେଇ ସାହିର ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ପିପିଇ କିଟ ପିନ୍ଧି ଜାମପଲ୍ଲୀ ସ୍ମଶାନରେ ଶବ ସତ୍କାର କରି ଆସୁଥିଲେ। ହେଲେ ପ୍ରଥମ ଦିନହିଁ ସୋରଡ଼ାର ସୁଶାନ୍ତ କୁମାର ମିଶ୍ରଙ୍କ ମୃତଦେହକୁ ଯେତେବେଳେ ସତ୍କାର ପାଇଁ ଜାମପଲ୍ଲୀ ସ୍ମଶାନକୁ ଅଣାଗଲା ସେତେବେଳେ ସ୍ଥାନୀୟ କିଛି ଯୁବକ ଭଞ୍ଜନଗର ଠାରେ ଅନେକ ସ୍ମଶାନ ରହିଥିଲେ ମଧ୍ୟ ଏଠାରେ କାହିଁକି କରୋନା ରୋଗୀଙ୍କ ଶବସତ୍କାର କରାଯାଉଛି କହି ଏହାକୁ ବିରୋଧ କରିଥିଲେ। ଏହାପରେ ବାରମ୍ବାର ସେଠାରେ କରୋନା ରୋଗୀଙ୍କୁ ଦାହ କରାଯିବାରୁ କିଛି ଲୋକ ଗତକାଲି ଭୋର ସମୟରେ ସ୍ମଶାନ ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରି ଏକ ଗଛରେ କରୋନା ରୋଗୀଙ୍କୁ ସ୍ମଶାନ ମନା ବୋଲି ପୋଷ୍ଟର ମାରିଥିଲେ।ଏହାକୁ ନେଇ ପ୍ରଶାସନ ଦ୍ଵନ୍ଦରେ ପଡିଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୋଲିସ ଉପସ୍ଥିତିରେ ଉକ୍ତ ବ୍ୟାରିକେଡ଼କୁ ଶୁକ୍ରବାର ଅପରାହ୍ନରେ ହଟାଯାଇଛି। ଭଞ୍ଜନଗର ଜଳ ଭଣ୍ଡାର ନିକଟରେ ଥିବା ବେଲେଶ୍ୱର ସ୍ମଶାନ ଜନ ବସତି ଠାରୁ ଦୂରରେ ଅବସ୍ଥିତ ହୋଇଥିବାରୁ ସେଠାରେ ଶବ ସତ୍କାର କରା ନଯାଇ ନିକଟରେ ଓ ରାସ୍ତା କଡରେ ଜାମପଲ୍ଲୀ ସ୍ମଶାନ ରହିଥିବାରୁ ସେଠାରେ ଶବ ସତ୍କାର କୁ ଅଗ୍ରାଧିକାର ଦିଆଯାଉଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment