କରୋନାରେ ଶିକ୍ଷକଙ୍କ ଦେହାନ୍ତ ।

ମାଲକାନଗିରି,ତା:୦୧/୦୬(ପିପିଟି);କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟ୍ରେଲ ପଞ୍ଚାୟତର ପୁକୁଣା ଓର୍କେଲ ସରକାରୀ ପ୍ରାଥମିକ ବିଦ୍ଯାଳୟର ଗଣ ଶିକ୍ଷକ ସମୀର ରାୟ କରୋନାରେ ମୃତ୍ୟ ବରଣ କରିଥିବା ସୂଚନା ମିଳିଛି । ପ୍ରଥମେ ସମୀର ରାୟଙ୍କୁ ଜ୍ବର ଏବଂ ନିମୋନିଆ ହେବା ପରେ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ଦିନକୁ ଦିନ ସ୍ବସ୍ଥ୍ଯାବସ୍ଥାରେ ଉନ୍ନତି ନହେବାରୁ ତାଙ୍କୁ କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସ୍ବାସ୍ଥ୍ଯର ଉନ୍ନତି ହେବା ପରେ ନିଜ ଗ୍ରାମକୁ ଫରିଥିଲେ । ପୁନଶ୍ଚ ତାଙ୍କ ସ୍ବାସ୍ଥ୍ଯ ଖରାପ ହେବାରୁ ବିଶାଖାପାଟଣା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ କୋଭିଡ ପରୀକ୍ଷା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଲା । ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ତାଙ୍କର କରୋନାରେ ଦେହାନ୍ତ ଘଟିଥିବା ଜଣା ପଡିଛି । ତାଙ୍କ ନିଜ ଘର ପୋଟ୍ରେଲ ପଞ୍ଚାୟତ ଅନ୍ତର୍ଗତ ଏମି-୩୩ ଗ୍ରାମରେ । ସମୀର ରାୟ ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଗଣ ଶିକ୍ଷକ ଭାବେ ୨୦୧୧ ରେ ନିଯୁକ୍ତି ପାଇଥିଲେ । ରାଜ୍ଯ ସରକାର ଗଣ ଶିକ୍ଷକମାନଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ହେତୁ ମାସିକ ୭ ହଜାର ଟଙ୍କାର ସ୍ଥିରୀକୃତ ଦରମା ପ୍ରଦାନ କରୁଥିବା ବେଳେ ଗଣ ଶିକ୍ଷକ ସମୀର ରାୟଙ୍କୁ ମଧ୍ଯ ୭ ହଜାର ଦରମା ମିଳୁଥିଲା । ଏବେ ତାଙ୍କର ଅକାଳ ବିୟୋଗ ହେତୁ ପରିବାରରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗତ ରାୟ ଜଣେ କର୍ତ୍ତବ୍ଯ ନିଷ୍ଠ,ଛାତ୍ର ବତ୍ସଳ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment