କମ୍ୟୁନିଷ୍ଟ ନେତା ହରିକୃଷ୍ଣ ସାହୁଙ୍କ ପରଲୋକ ।

ଭଞ୍ଜନଗର, ୨୭/୧୦(ପିପିଟି) :କମ୍ୟୁନିଷ୍ଟ ପାର୍ଟିର ଆଜୀବନ ସଦସ୍ୟ କମ୍ରେଡ଼ ହରିକୃଷ୍ଣ ସାହୁଙ୍କର ଦେହାନ୍ତ ଘଟିଛି।ସ୍ବର୍ଗତ ସାହୁ ଜଣେ ଡାକ କର୍ମଚାରୀ ଭାବେ ଅବସର ଗ୍ରହଣ କରିଥିଲେ।ସେ ଲଢୁଆ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଆଜୀବନ ସଦସ୍ୟ ଥିଲେ। ଚାକିରୀରୁ ଅବସର ନେବା ପରେ ଭଞ୍ଜନଗର ବାଉଁଶ ଲୁଣ୍ଡି ଠାରେ ବାସ କରିବା ସହ ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଅଗ୍ର ଭାଗରେ ରହି ନିଜ କାର୍ଯ୍ୟ ସମ୍ପାଦନ କରୁଥିଲେ।ଏଥିସହ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସହ ସମ୍ପାଦକ ଥିଲେ। ଘୁମୁସର ଜିଲ୍ଲା ଘୋଷଣା ଓ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥ ନିର୍ମାଣ ଭଳି ବିଭିନ୍ନ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ। ଘୁମୁସର ବିକାଶ ପରିଷଦ ଟ୍ରଷ୍ଟର ଅନ୍ୟତମ ନ୍ୟାସୀ ଥିଲେ। ଜନସେବା ଓ ପରୋପକାର ତାଙ୍କ ଜୀବନର ବ୍ରତ ଥିଲା।ଅନ୍ତିମ ସମୟରେ ସ୍ବର୍ଗତ ସାହୁ ନୟାଗଡ଼ ଠାରେ ରହୁଥିବା ତାଙ୍କର ଏକ ମାତ୍ର ଝିଅଙ୍କ ପାଖରେ ଶଯ୍ୟାଶାୟୀ ଅବସ୍ଥାରେ ଶନିବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ସ୍ତ୍ରୀ, ଝିଅ, ଜ୍ବାଇଁ, ନାତି, ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ‌ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଭାପତି ସୋମନାଥ ନାୟକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଓ ଘୁମୁସର ବିକାଶ ପରିଷଦ ତରଫରୁ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ସହ ଲାଲ ସଲାମ ଜଣାଇଛନ୍ତି।ସ୍ବର୍ଗତ ସାହୁଙ୍କ ବିୟୋଗରେ ଭଞ୍ଜନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
(ଜେ. କେ ପଟ୍ଟନାୟକ)

Comments (0)
Add Comment