କମ୍ବିଂରୁ ଫେରୁଥିବା ସମୟରେ ନାଳରେ ଭାସିଗଲେ ଯବାନ ।

ମାଲକାନଗିରି,୦୯/୦୭(ପିପିଟି): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ କମ୍ବିଂ ସାରି ଫେରୁଥିବା ସମୟରେ ନାଳରେ ଭାସି ଯାଇ ଜଣେ ସିଆରପିଏଫ ଯବାନ ନିଖୋଜ ଥିବା ଜଣା ପଡ଼ିଛି। ବିଜାପୁର ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବ‌େଳେ ସିଆରପିଏଫ ର କୋବ୍ରା ବାଟାଲିୟନର ଯବାନମାନେ ଦୁଇ ଦିନ ତଳେ ସିଲଗେର ଜଙ୍ଗଲକୁ କମ୍ବିଂ ଅପରେସନରେ ଯାଇଥିଲେ। ଆଜି ସମସ୍ତେ ଫେରୁଥିବା ବେଳେ ଏକ ପାହାଡ଼ିଆ ନାଳ ପାର ହେବା ସମୟରେ ଜଣେ ଯବାନ ନାଳରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ। ନିଖୋଜ ଯବାନ ଜଣକ ଆର. ସୁରଜ କୁମାର ବୋଲି ଜଣା ପଡ଼ିଛି। ଯବାନ ଏବଂ ଗ୍ରାମବାସୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ହେଁ ଖବର ଲେଖା ହେବା ସୁଦ୍ଧା ନିଖୋଜ ଯବାନଙ୍କୁ ଉଦ୍ଧାର କରାଯାଇପାରି ନଥିବା ସିଆରପିଏଫ ଡିଆଇଜି କମଲ ସିଂ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଯବାନମାନେ ଜଙ୍ଗଲକୁ କମ୍ବିଂ କରିବାକୁ ଯାଉଥିବା ବେଳେ ବର୍ଷାଦିନେ ପାହାଡ଼ିଆ ନାଳ ପାର ହେବାକୁ ପଡ଼ିଥାଏ। ଏହି ସମୟରେ ଯବାନମାନେ ହାତ ଧରାଧରି ହୋଇ ନାଳ ପାର ହୋଇଥାନ୍ତି। ତେବେ କିଭଳି ଯବାନ ଜଣକ ନଦୀରେ ଭାସିଗଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment