କବିସୂର୍ଯ୍ୟନଗର,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ମୁଖ୍ୟାଳୟଠାରେ ଆଜି ଜିଲ୍ଲାସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଏଥିରେ ୧୫୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୩୯ଟି ବ୍ୟକ୍ତିଗତ ସମସ୍ୟା ଓ ୧୬ଟି ଗ୍ରାମ ସମ୍ପର୍କିତ ଅଭିଯୋଗ ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସହାୟତା ପାଇଁ ୨ଟି ଆବେଦନ ମଧ୍ୟ ଗ୍ରହଣ କରାଯାଇଥିଲା ।
ଜନଶୁଣାଣି ସମୟରେ ୪ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଦିବ୍ୟାଙ୍ଗ ଓ ଆବଶ୍ୟକତା ଥିବା ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ୧୬ ଜଣ ହିତାଧିକାରୀଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ମୋଟ ୮୯ ହଜାର ଟଙ୍କାର ସହାୟତା, ୧୧ ଜଣଙ୍କୁ ନୂତନ ରାସନ କାର୍ଡ, ୩ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ୍ ଓ ୩ ଜଣଙ୍କୁ ହ୍ୱିଲ୍ଚେୟାର ପ୍ରଦାନ କରାଯାଇଥିଲା । ଏଥିସହ ୨୦ ଜଣଙ୍କୁ ନୂତନ ପେନ୍ସନ୍ ମଞ୍ଜୁର କରାଯାଇଥିବା ବେଳେ ୩ ଜଣ ଦିବ୍ୟାଙ୍ଗଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଡ଼ିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଅନ୍ୟାନ୍ୟ ଅଧିକାରୀ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ ।