କନ୍ଧମାଳ ହଳଦୀ ଚାଷୀ ମହାସଂଘ ‛କସମ’ ଦ୍ୱାରା ପ୍ରତାରିତ ହୋଇଛନ୍ତି ।

ଫୁଲବାଣୀ, ୦୩/୧୨(ପିପିଟି);କନ୍ଧମାଳ ହଳଦୀର ଦେଶ ବାହାରେ ଚାହିଦା ଥିବା ବେଳେ ଏହି ଚାହିଦାକୁ ମେଣ୍ଟାଇ କନ୍ଧମାଳ ଚାଷୀଙ୍କୁ ଲାଭବାନ କରିବା ଉଦେଶ୍ୟରେ ୧୯୯୭ ମସିହାରେ ମହତ ଉଦେଶ୍ୟ ନେଇ ତତ୍କାଳୀନ ପ୍ରଶାସନ ଜିଲ୍ଲାର ୬୧ ଟି ସୋସାଇଟିକୁ ନେଇ କସମ ନାମକ ଏକ ମହାସଂଘ ଗଠନ କରିଥିଲେ । ଇଣ୍ଟିଗ୍ରେଟେଡ଼ ଟ୍ରାଇବଲ ଯୋଜନାରେ ତିନି କୋଟି ଏକାନବେ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଯୋଗାଇ ଦେଇଥିଲେ । ସେତେବେଳେ ପ୍ରଶାସନ ଦକ୍ଷ ଓ ଅଭିଜ୍ଞ ଲୋକଙ୍କୁ ଦାଇତ୍ୱ ଦେଇ ୧୨,୨୪୨ ସଭ୍ୟଙ୍କୁ ନେଇ ଏହି ମହାସଂଘ କାର୍ଯ୍ୟ ଆରମ୍ଭ କରିଥିଲା ଓ ଲକ୍ଷ ରଖିଥିଲା ୫୦,୦୦୦ ସଭ୍ୟଙ୍କ ପାଇଁ । ବୋହୁ ସଫଳତା ମଧ୍ୟ ମିଳିଥିଲା । କସମର ହଳଦୀ ଓ ହଳଦୀ ପାଉଡରର ବିଦେଶରେ ମଧ୍ୟ ଚାହିଦା ବଢିଥିଲା । ଏହି ସଫଳତାରେ ଲୋଭାଗ୍ରସ୍ତ ହୋଇ କିଛି ଅଯୋଗ୍ୟ ଓ ସ୍ୱାର୍ଥ ନ୍ୟସ୍ତ ବ୍ୟକ୍ତି ଚଞ୍ଚକତା କରି ଏହାର ଦାଇତ୍ୱ ନେଇଥିଲେ । ଅଭିଜ୍ଞତା ଦକ୍ଷତା ଅଭାବ ଓ ଲାଭଖୋର ମନବୃତି ଯୋଗୁଁ ଏହି ସଫଳତାରେ ବ୍ୟତିକ୍ରମ ଦେଖିବାକୁ ମିଳିଲା । ୧୨,୨୪୨ ସଭ୍ୟ ଖସି ବର୍ତ୍ତମାନ ୮୪୦ କୁ ଖସିଯାଇଛି ବନ୍ଧଗଡଠାରେ ଥିବା ଏକ ପ୍ରୋସେସିଙ୍ଗ ସେଣ୍ଟର ବହୁ ସମୟରେ କାର୍ଯ୍ୟକ୍ଷମ ହେଉନାହିଁ । ବର୍ତ୍ତମାନ ହଳଦୀ ଚାଷୀ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ପାଇପାରୁ ନାହାନ୍ତି । ହଳଦୀ ଗୁଣ୍ଡର ଦର ବଜାରରେ ୧୦୦-୧୨୦ ଟଙ୍କା ଥିବାବେଳେ ବର୍ତ୍ତମାନ ଚାଷୀ ୪୦-୬୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସୋସାଇଟି ଚାଷୀଙ୍କୁ ବିହନ ଯୋଗାଇବା ପାଇଁ ଚୁକ୍ତି ଥିବା ବେଳେ ହଳଦୀ ଚାଷ ଏପ୍ରିଲ , ମେ ମାସରେ କରାଯାଉଥିବା ବେଳେ ଚାଷୀଙ୍କୁ ବର୍ତ୍ତମାନ ଜୁନ , ଜୁଲାଇରେ ବିହନ ଦିଆଯାଉଥିବା ଅଭିଯୋଗ ହେଉଛି । ଫଳରେ ଚାଷୀ କ୍ଷତି ସହୁଛନ୍ତି । ଦିନକୁ ଦିନ ଏହି ଅବ୍ୟବସ୍ଥା ନେଇ ସୋସାଇଟିରୁ ମୁହଁ ଫେରାଉଥିବା ବେଳେ ହଳଦୀ ଚାଷ ପ୍ରତି ମଧ୍ୟ ବିମୁଖ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଏହି ମହାସଂଘ କସମ ଜିଲ୍ଲାର ହଳଦୀ ଚାଷୀଙ୍କ ଠାରୁ ବିଶ୍ୱାସ ହରାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ବର୍ତ୍ତମାନ କସମ ଦ୍ୱାରା ପ୍ରତାରିତ ହୋଇଥିବା ଦାବି କରି ପ୍ରଶାସନ ତୁରନ୍ତ ଏହିସବୁର ସୁଧାର ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରାଇ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ଦାବି ହେଉଛି । ନଚେତ ମହତ ଉଦେଶ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ଗଠନ ହୋଇଥିବା ଏହି ମହାସଂଘଟି ନଷ୍ଟ ହୋଇଯିବ ଜିଲ୍ଲାର ଚାଷୀ ସର୍ବଶାନ୍ତ ହେବେ । ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି ଚାଷି ।

(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )

Comments (0)
Add Comment