କନ୍ଧମାଳ ସାଂସଦ ଯୋଗାଇଲେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ।

ଭଞ୍ଜନଗର,୧୪/୦୫(ପିପିଟି); ଲକ ଡାଉନ ସମୟରେ ବହୁ ଗରିବ ଓ ଅସହାୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କଷ୍ଟକର ହୋଇପଡିଛି। ସେମାନେ ଦୁଃଖ କଷ୍ଟରେ ଦିନ କାଟୁଥିବା ଦେଖି ବହୁ ସ୍ବେଛାସେବୀ ସଙ୍ଗଠନ ଆଗେଇ ଆସି ସେମାନଙ୍କ ମୁଁହରେ ଆହାର ଯୋଗାଇ ଦେଉଛନ୍ତି।କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଶୁକ୍ରବାର ଠାରୁ ଭଞ୍ଜନଗର ଅଞ୍ଚଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଠାରେ ଖାଦ୍ୟ ପ୍ରସ୍ତୁତ ହେବା ପରେ ପ୍ରଥମ ଦିବସରେ ଫରେଷ୍ଟ ଗେଟ,ଶ୍ରୀରାମ ନଗର, କୁଷ୍ଠାଶ୍ରମ ,ବାଉଁଶ ଲୁଣ୍ଡି, ବସ ଷ୍ଟାଣ୍ଡରେ ରହୁଥିବା ପ୍ରାୟ ୬୦ଜଣ ଗରିବ, ଅସହାୟ ଓ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତ ରହି ଦେଖା ଶୁଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲଣ୍ଡେଇ ସାହିର ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ,ସମାଜସେବୀ ଶୂଳପାଣି ଶତପଥି,ପଞ୍ଚାନନ ପାଳ,ଜଗଦୀଶ ପାଣିଗ୍ରାହୀ,ଭବାନୀ ଶଙ୍କର ପ୍ରଧାନ ଓ କିଟର କର୍ମକର୍ତ୍ତା ସହଯୋଗ କରିଥିଲେ।ଆସନ୍ତା ୧୯ତାରିଖ ଲକ ଡାଉନ ଶେଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment