ବ୍ରହ୍ମପୁର,୧୯/୦୫(ପିପିଟି); ହିଞ୍ଜିଳିକାଟୁ ବ୍ଳକର କଞ୍ଚୁଡୁ ପଞ୍ଚାୟତ ଅନ୍ତର୍ଗତ ଶରଧାପୁର ଗ୍ରାମରେ ମେସିନ ଦ୍ବାରା ଚାଲିଛି ପୋଖରୀ କାମ । ଏହି ପୋଖରୀର ମାଟିକୁ ମେସିନ ମାଧ୍ୟମରେ କାଡ଼ି ଟ୍ରାକ୍ଟରକୁ ମାଟି ଟ୍ରିପ ପିଛା ୩୦୦ ଟଙ୍କା ରେ ବିକ୍ରି ହେଉଛି ଯାହା ସ୍ଥାନୀୟ ଜନସାଧାରଣ କ୍ଷୋଭର ସହ ପ୍ରକାଶ କରିଛନ୍ତି । ମାଛବନ୍ଧର ମାଟି ପୋଖରୀ ଆଡିବନ୍ଧ ନିର୍ମାଣ ପାଇଁ ଉପର ହୁଡ଼ା ରେ ପଡିବା କଥା କିନ୍ତୁ ଏହାକୁ କିଏ, କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଶାଗମାଛ ଦରରେ ଖନନ କରି ଖୋଲାଖୋଲି ବିକ୍ରି କରୁଛି ତାହା ଅନୁସନ୍ଧାନ ସାପେକ୍ଷ ବୋଲି ସ୍ଥାନୀୟ ଜନସାଧାରଣରେ ଅଭିଯୋଗ ଉଠୁଛି । ଉକ୍ତ ଘଟଣାକୁ ନେଇ ଅଭିଯୋଗ ହେତୁ କିଛି ବ୍ଯକ୍ତିଙ୍କୁ ହାତଗୁଞ୍ଜା ଦେଇ ଘଟଣା ଚାପି ଦେବା ପାଇଁ ଚେଷ୍ଟା ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ସ୍ଥାନୀୟ ପଞ୍ଚାୟତର ଗ୍ରାମରୋଜଗାର ସେବକ,କାର୍ଯ୍ଯନିର୍ବାହୀ ଅଧିକାରୀଙ୍କୁ ଫୋନ ଯୋଗାଯୋଗ କରାଯିବା ପରେ କୌଣସି ପ୍ରକାର ତଥ୍ୟ ସେହିମାନେ ଉପଯୁକ୍ତ ଭାବେ ଦେଇନାହାଁନ୍ତି । ପ୍ରତି ବଦଳରେ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ ଗ୍ରହଣ କରିବାରେ ଅନିଚ୍ଛା ପ୍ରକାଶ କରିବା ସହ ବିଭ୍ରାନ୍ତି କର ମନ୍ତବ୍ୟ ପ୍ରକାଶ କରିଥିଲେ । ଉକ୍ତ ମାଛବନ୍ଧ କାର୍ଯ୍ୟ କେଉଁ ପ୍ରକଳ୍ପ ଯୋଜନାରେ ଅନ୍ତର୍ଭୁକ୍ତ ଅଛି ,ତାହା ଲୋକଙ୍କୁ ସନ୍ଦେହରେ ରଖିଛି । ବିନା ନାଗରିକ ସୂଚନାଫଳକ ରେ ଏହି କାମ ଚାଲିଥିବା ସୂଚନା ମିଳିଛି। ଲୋକ ମାନଙ୍କୁ କାମଧନ୍ଦା ନଥିବା ବେଳେ ମାଛବନ୍ଧକୁ କିଏ କେଉଁ ମାଧ୍ୟମରେ ପୋଖରୀ ଖନନ କାର୍ଯ୍ୟ କରୁଛି ଓ ଉକ୍ତ କାର୍ଯକୁ କାହିଁକି ଲୋକମାନଙ୍କୁ ନିୟୋଜିତ ନକରି ମେସିନ୍/ହିଟାଚି ଦ୍ବାରା କରୁଛନ୍ତି ତାହା ଅନୁସନ୍ଧାନ ସାପେକ୍ଷ। ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହାର ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।