କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ-ସବୁ ଚର୍ଚ୍ଚାର ଅବସାନ ।

ମାଲକାନଗିରି, ୨୨/୧୦(ପିପିଟି):କଂଗ୍ରେସକୁ ଶକ୍ତ ଧକ୍କା। ସବୁ ମୋହ ମାୟାକୁ ତ୍ଯାଗ କରିଦଳ କଂଗ୍ରେସକୁ ତ୍ଯାଗ କଲେ ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ଯକାରୀ ସଭାପତି ବରିଷ୍ଠ ନେତା ପ୍ରଦୀପ ମାଝୀ। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଉଲ୍ଲେଖ କରିଛନ୍ତି ଯେ, କଂଗ୍ରେସରେ ଜନସେବାର ସୁଯୋଗ ନଥିବା ଯୋଗୁଁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନବରଙ୍ଗପୁରର ପୂର୍ବତନ ସାଂସଦ ଥିଲେ। ଏନେଇ ପ୍ରଦୀପ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଅତି ଦୁଃଖ ଓ କଷ୍ଟରେ ନିଷ୍ପତ୍ତି ନେଇଥିବା ସେ ତାଙ୍କ ଚିଠିରେ ପ୍ରକାଶ କରିଛନ୍ତି।କଂଗ୍ରେସର ଟାଣୁଆ ନେତା ତଥା ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗତ କିଛି ଦିନ ହେବ କଂଗ୍ରେସ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଏଥିରେ ଏବେ ଯବନିକା ପଡ଼ିଛି। ଗତ କିଛି ଦିନ ହେବ ଦଳ ପ୍ରତି ସେ ଅସନ୍ତୋଷ ଥିଲେ। ତେବେ ସେ ବିଜେଡ଼ିକୁ ଆପଣେଇ ନେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ବିଷୟକୁ ନେଇ ଆଲୋଚନା ହୋଇଥିଲା ଓ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ରହିଛି ବୋଲି ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହୁଛନ୍ତି । ପ୍ରଦୀପଙ୍କ ବାପା ଭଗବାନ ମାଝୀ ନିଜ ରାଜନୀତି ଜୀବନ ବିଜୁବାବୁଙ୍କଠାରୁ ଆରମ୍ଭ କରିଥିଲେ । ବିଜୁବାବୁ ଭଗବାନଙ୍କୁ ଜନତା ଦଳରୁ ୧୯୯୪ରେ ରାଜ୍ୟସଭାକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ଭଗବାନ କଂଗ୍ରେସରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଦୀପ କଂଗ୍ରେସରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପରେ ସେ ସିଧାସଳଖ ୨୦୦୯ରେ ନବରଙ୍ଗପୁର ସାଂସଦ ନିର୍ବାଚିତ ହୋଇଥିଲେ । ପରେ ଦୁଇ ଥର କଂଗ୍ରେସ ଟିକେଟ୍ ପାଇ ନବରଙ୍ଗପୁର ସାଂସଦ ପଦବୀରେ ଦଣ୍ଡାୟମାନ ହୋଇ ନିର୍ବାଚନରେ ପରାଜୟ ବରଣ କରିଥିଲେ । ରାଜନୀତି ଜୀବନରେ ସଂଘର୍ଷ କରି କେବଳ ଅବିଭକ୍ତ କୋରାପୁଟ ନୁହେଁ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଛନ୍ତି । ରାଜ୍ୟସ୍ତରର ଜଣେ ଦକ୍ଷନେତା ଭାବେ ନିଜ ସ୍ଥାନ ଏବେ ବି ବଜାୟ ରଖିଛନ୍ତି । ପ୍ରଦୀପ ବିଜେଡିରେ ସାମିଲ ହେବା ଥୟ ବୋଲି ଆଶଙ୍କା ପ୍ରକାଶ ପାଉଥିଲେ ହେଁ କେବେ ଏଥିରୁ ପରଦା ହଟିବ ତାହାକୁ ଜିଲ୍ଲା ତଥା ରାଜ୍ୟବାସୀ ଚାହିଁ ରହିଛନ୍ତି ।ଅନ୍ଯପକ୍ଷରେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଲେ ଯେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପଦ ଲାଳସାରେ ସେ କଂଗ୍ରେସ ଦଳ ଛାଡିଛନ୍ତି । କଂଗ୍ରେସ ତାଙ୍କୁ ସବୁ କିଛ ଦେଇ ନେତା ବନାଇଛି । ସେ ଚାଲି ଗଲେ କଂଗ୍ରେସ କେବେ ଦୁର୍ବଳ ହେବ ନାହିଁ ବରଂ ସବଳ ହେବ । ମାଲକାନଗିରି ଜିଲ୍ଲାର କୌଣସି କର୍ମୀ ତାଙ୍କ ସହ ଯିବେ ନାହିଁ ବୋଲି ଶ୍ରୀପାତ୍ର କହିଥିଲେ I ଯିଏ ବିଜେଡିରେ ମିଶିଛି, ସେମାନଙ୍କ ଭବିଷ୍ଯତ ଅନ୍ଧକାର । ଅନ୍ଯପକ୍ଷରେ ମାଥିଲି ବ୍ଲକ୍ ଅଧ୍ଯକ୍ଷା ବିଷ୍ଣୁପ୍ରୀୟା ନାୟକ ଗତ କାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିବା ଶ୍ରୀପାତ୍ର ପ୍ରକାଶ କରିଛନ୍ତି I ଇତି ମଧ୍ଯରେ ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ଯକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ,ଆଦିବାସୀ ନେତା ନୀଳକଣ୍ଠ ଝୋଲ. ମଧ୍ଯ କଂଗ୍ରେସ ଦଳରୁ ଇସ୍ତଫା ପତ୍ର ଦେଇ ସାରିଛନ୍ତି । ପ୍ରଦୀପଙ୍କ ମିଶ୍ରଣ ପର୍ବରେ ଏମାନେ ମଧ୍ଯ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment