ଔପଦାରେ ନକଲି ବିଦେଶୀ ମଦ କାରଖାନା; ବିପୁଳ ମଦ ଓ ସରଞ୍ଜାମ ଜବତ,ମାଲିକ ଗିରଫ।

ନୀଳଗିରି,୨୦/୦୯: ନୀଳଗିରି ଅବକାରୀ ପୁଲିସ ଆଜି ଔପଦା ଥାନା ଅଞ୍ଚଳରେ ଚାଲିଥିବା ଏକ ନକଲି ମଦ କାରଖାନା ଉପରେ ଚଢ଼ଉ କରି କାରଖାନାର ମାଲିକକୁ ଗିରଫ କରିଛି । ଦୀର୍ଘ ପ୍ରାୟ ୬ବର୍ଷ ଧରି ଏହି ମାଫିଆ ଜଣକ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଆସିଥିଲା । ନକଲି ମଦ ପ୍ରସ୍ତୁତ ପରେ ଏସବୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ଏଭଳି ଖବରପାଇ ନୀଳଗିରି ଅବକାରୀ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ ଆଜି ଔପଦା ଥାନା ବଡ଼ପୋଖରୀ ଗାଁରେ ଥିବା ଏହି କାରଖାନା ଉପରେ ସଦଳବଳେ ଚଢ଼ଉ କରିଛନ୍ତି । କାରଖାନା ମାଲିକ ତଥା ଉକ୍ତ ଗାଁର ମନୋଜ ବେହେରା(୩୩)କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ୨୦୧୯ମସିହାରୁ ଅର୍ଥାତ ଲକ୍‍ ଡାଉନଠାରୁ ଏହି କାରବାରରେ ସମ୍ପୃକ୍ତିଥିବା ସ୍ୱୀକାର କରିଛି । ଏହି ମଦ ସବୁ ଔପଦା,ନୀଳଗିରି,ସୋର, ସିମୁଳିଆ,ଖଇରା ସମେତ ବେତେଇ ରାସ୍ତା ଦେଇ ମୟୂରଭଞ୍ଜ ଜିଲାର କପ୍ତିପଦା,ଶରତ,ଠାକୁରମୁଣ୍ଡା, ଉଦଳା ପ୍ରଭୃତି ଅଞ୍ଚଳକୁ ଚାଲାଣ କରାଯାଉଥିଲା । ନକଲି ମଦ ସବୁ ଆଦିବାସୀ ଇଲାକାରେ ବହୁଳମାତ୍ରାରେ ବିକ୍ରି ହେଉଥିଲା । ଅଭିଯୁକ୍ତ ମନୋଜଙ୍କ ଠାରୁ ୧୦୦ଲିଟର ସ୍ପିରିଟ, ୩୬ଲିଟର ନକଲି ମଦ, ୧୨୦ଟି ଖାଲି ବୋତଲ, ଠିପି, ସରକାରୀ ଲେବୁଲ ସହ ବ୍ୟବହୃତ ଟାଟା ଇଣ୍ଡିଗୋ କାରକୁ ଜବତ କରାଯାଇଛି । ଏହି ଚଢ଼ଉରେ ନୀଳଗିରି ଅବକାରୀ ଓଆଇସି ମନୋଜ ସାହୁ, ଖଇରା ଓଆଇସି ସୂରଜ ଟିଗା, କନଷ୍ଟେବଳ ତପନ ମଲିକ,ଦେବାଶିଷ ମଲିକ,ସନ୍ତୋଷ ବେହେରା,ନହନ ମୁର୍ମୁ ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment