ଭୁବନେଶ୍ୱର ,୧୧/୦୪(ପିପିଟି):ଆଜି ହେଉଛି ବିଶ୍ୱ ଛେନାପୋଡ ଦିବସ । ସମଗ୍ର ବିଶ୍ୱରେ ଏହି ଦିବସକୁ ପାଳନ କରାଯାଉଛି । ଏହି ଅବସରରେ ଓମ୍ଫେଡ୍ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ଧୁମ୍ ଧାମରେ ପାଳନ କରାଯାଇଛି । ଓମ୍ଫେଡ୍ ର ସହିଦ ନଗରସ୍ଥିତ ମୁଖ୍ୟାଳୟରେ ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓମ୍ଫେଡର ଭାରପ୍ରାପ୍ତ ପରିଚାଳନା ନିର୍ଦେଶକ ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓମ୍ପଫେଡ୍ ଦ୍ୱାରା ପ୍ରସ୍ତୁତ ଛେନାପୋଡ କାଟିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦେଶକ ଡାକ୍ତର ହାଡିବନ୍ଧୁ ଭୋଇ, ଅତିରିକ୍ତ ନିର୍ଦେଶକ ଡାକ୍ତର ଗିରିଧାରୀ ଭୋଇ, ଯୁଗ୍ମ ନିର୍ଦେଶକ ଡାକ୍ତର ଆଲୋକ ନାୟକ, ଡେପୁଟି ନିର୍ଦେଶକ ଡାକ୍ତର ମଦନମୋହନ ମହାପାତ୍ର, ଓମ୍ଫେଡ୍ ମ୍ୟାନେଜର (ପ୍ଲାଣ୍ଟ) ସୌମେନ୍ଦ୍ର ଭୌମିକ, ମ୍ୟାନେଜର (ଡେରୀ ଅପରେସନ) ମୃତ୍ୟୁଞ୍ଜୟ କୁମାର, ଡେପୁଟି ମ୍ୟାନେଜର (ସୂଚନା ଓ ଲୋକ ସଂପର୍କ ବିଭାଗ) ଡାକ୍ତର ବିଶ୍ୱରଂଜନ ତ୍ରିପାଠି, ଡେପୁଟି ମ୍ୟାନେଜର (ବିତ୍ତ) ତାପସ ରଂଜନ ମିଶ୍ର, ସହକାରୀ ମ୍ୟାନେଜର (ଆଟି) ଜିତେନ୍ଦ୍ର ବରାଡ, ମାର୍କେଟିଂ ମୁଖ୍ୟ ଆଲୋକ ଅଗ୍ନିବେଶ, ମାନବ ସମ୍ବଳ ବିକାଶ ମୁଖ୍ୟ ନିତ୍ୟଦର୍ଶନ ମିଶ୍ରଙ୍କ ସହ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଏବଂ ଓମ୍ଫେଡର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଓଡିଶାର ଛେନାପୋଡ ଆଜି ସମଗ୍ର ବିଶ୍ୱରେ ବେଶ୍ ପରିଚିତ ଏବଂ ସ୍ୱାଦିଷ୍ଠ ଖାଦ୍ୟ ଭାବେ ପରିଗଣିତ ହେଉଛି । ଏହି ସ୍ୱାଦିଷ୍ଟ ଖାଦ୍ୟ ଓଡିଶାର ଏବଂ ଓଡିଶାରୁ ହିଁ ଏହାର ଉତ୍ପତି ହୋଇଥିଲା । ୧୯୪୭ ମସିହାରେ ନୟାଗଡ ଜିଲ୍ଲା ଦଶପଲ୍ଲା କଚେରୀ ରୋଡରେ ମିଠା ଦୋକାନ କରିଥିବା ସୁଦର୍ଶନ ସାହୁ ହେଉଛନ୍ତି ଏହି ଛେନା ପୋଡର ଜନକ । ଆଉ ଏହି ଛେନାପୋଡ ଏକ ସୁଖଦ ଦୁର୍ଘଟଣାରୁ ହିଁ ଜନ୍ମ ନେଇଥିଲା ।
ଲୋକକଥା ଅନୁଯାୟୀ ଚିନି ମିଶ୍ରିତ ଛେନା ବଳକା ରହିବାରୁ, ରାତିରେ ସେ ଏକ ପାତ୍ରରେ ଭର୍ତ୍ତିକରି ଲିମ୍ଭି ଯାଇଥିବା ଚୁଲା ଉପରେ ରଖିଦେଇଥିଲେ । ଏକଥା ତାଙ୍କର ଆଉ ମନେ ନାହିଁ । ସେହି ଛେନାପାତ୍ରଟି ସାରାରାତି ଚୁଲି ଉପରେ ବସିଥିଲା । ସକାଳୁ ଦେଖିଲା ବେଳକୁ ସେ ଛେନାସବୁ ଚାରିପଟୁ ପୋଡି ଯାଇ ସ୍ୱର୍ଣ୍ଣିମ-ବାଦାମୀ ରଙ୍ଗ ହୋଇଯାଇଛି । ତାହାକୁ ଦେଖି ମନଦୁଃଖ କରିଥିଲେ । ମାତ୍ର ଚାଖିବା ପରେ ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥିଲା । ଏହିଠାରୁ ଜନ୍ମ ନେଲା ଛେନାପୋଡ । ପରେ ସେ ଛେନାରେ ଚିନି ମିଶାଇ ମାଟି ପାତ୍ରର ଚାରିପଟେ ଶାଳପତ୍ର ଦେଇ ରଡ ନିଆଁରେ ରାତିରେ ବସାଇ ଦିଅନ୍ତି । ସକାଳୁ ତାହା ସୁନ୍ଦର ସ୍ୱର୍ଣ୍ଣିମ-ବାଦାମୀ ରଙ୍ଗର ଛେନା ପୋଡରେ ପରିବର୍ତ୍ତନ ହୋଇଯାଇଥାଏ । ତାହାକୁ ସେ ଦୋକାନରେ ବିକ୍ରି କରନ୍ତି । ଏହି ଛେନାପୋଡ ପାଇଁ ତାଙ୍କ ଦୋକାନର ଖ୍ୟାତି ମଧ୍ୟ ବଢିଗଲା । ନୂଆ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ କରୁଥିବାରୁ ଲୋକଙ୍କ ଭିଡ ମଧ୍ୟ ଜମିଲା । ପରବର୍ତ୍ତି ପର୍ଯ୍ୟାୟରେ ଛେନା ଓ ଚିନି ସହ ତାହାକୁ ଆହୁରି ସ୍ୱାଦିଷ୍ଠ ଓ ସୁଗନ୍ଧଯୁକ୍ତ କରିବା ପାଇଁ ଅଳେଇଚ, ଗୁଜୁରାତି, କାଜୁ, ଖିଶିମିଶି ଇତ୍ୟାଦି ମିଶ୍ରଣ କରି ଛୋନାକୁ ପୋଡାଯାଉଛି । ଛେନାକୁ ପୋଡାଯାଉଥିବାରୁ ତାର ନାମ “ଛେନାପୋଡ” ରଖାଯାଇଛି ।
ଏହି ସ୍ୱାଦିଷ୍ଠ ଖ୍ୟାଦର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲା । ଏହି ଛେନାପୋଡ ଓଡ଼ିଶାର ମନ୍ଦିରରେ ଏପରିକି ଜଗତରନାଥ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ମଧ୍ୟ ଅର୍ପଣ କରାଯାଉଛି । ଏପରିକି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଦ୍ୱାରା ଓଡିଶାର ଛେନାପୋଡ ଉଚ୍ଚ ପ୍ରଶଂସିତ ହୋଇଥିବା କୁହାଯାଉଛି ।
୨୦୧୬ ମସିହାରେ ୮୬ ବର୍ଷ ବୟସରେ ସୁଦର୍ଶନ ସାହୁଙ୍କ ଦେହାନ୍ତ ହୋଇଥିଲା । ୨୦୨୨ ମସିହାରୁ ତାଙ୍କର ଜନ୍ମ ବାର୍ଷିକୀ ଏପ୍ରଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସକୁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଉଛି ।
ଓଡିଶାର ଏହି ପାରମ୍ପାରିକ ଛେନାପୋଡ ଆଜି କେବଳ ଓଡିଶା କିମ୍ବା ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥିତି ଜାହିର କରିଛି। ଏହି ଅବସରରେ ଓମ୍ଫେଡ୍ ତାର ଦୁଗ୍ଧଜାତ ପଦାର୍ଥ ମଧ୍ୟରେ ଛେନାପୋଡକୁ ସାମିଲ କରିଛି । ଏହା ରାଜ୍ୟର ଅଗଣିତ ଗ୍ରାହକଙ୍କ ଦ୍ୱାରା ବହୁଳ ଭାବେ ଆଦୃତ ହୋଇଛି । ଯେହେତୁ ରାଜ୍ୟରେ ଓମ୍ଫେଡ୍ ଏକ ସର୍ବ ବୃହତ ଛେନାପୋଡ ଉତ୍ପାଦନକାରୀ ସଂସ୍ଥା, ତେଣୁ ଏହାକୁ ବ୍ୟାପକ କରିବା ପାଇଁ ପ୍ରୟାସ ଜାରି ରଖିଛି । ଏହାଦ୍ୱାରା ଚାଷୀମାନେ ମଧ୍ୟ ଲାଭବାନ ହୋଇପାରିବେ । ଓଡ଼ିଆ ଅସ୍ମିତା ସ୍ୱରୂପ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖ ଦିନ ବିଶ୍ୱ ଛେନା ପୋଡ ଦିବସକୁ ପାଳନ କରିବା ସହ ଏହାକୁ ବ୍ୟାପକ କରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ଓମ୍ଫେଡର ପରିଚାଳନା ନିର୍ଦେଶକ ।