ଓଡିଶାର ଶତାଧିକ ଏକର ଜମି ଆନ୍ଧ୍ରବାସୀଙ୍କ କବଜାରେ।

ରାୟଗଡା,୨୩/୧୧(ପିପିଟି); ଓଡ଼ିଶା ସରକାରଙ୍କ ଶତାଧିକ ଏକର ଜମି ଆନ୍ଧ୍ରବାସୀଙ୍କ କବଜାରେ, ଦୀର୍ଘ ବର୍ଷରୁ ଚାଲି ଆସିଛି ଆନ୍ଧ୍ରର ଏହି ଦାଦାଗିରି ।ରାୟଗଡା ଜିଲ୍ଲା ରାମନାଗୁଡା ତହସିଲ ଗୋଗୁପାଡୁ ରାଜସ୍ବ ସର୍କଲର ସୁଲୁଡି ଏବଂ କପିରିଗୁଡା ମୌଜାର ଶତାଧିକ ଏକର ଜମି ଆନ୍ଧ୍ରର ବିଭିନ୍ନ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ଏହି ସବୁ ସରକାରୀ ଜମି ସେମାନେ ଦୀର୍ଘ ବର୍ଷରୁ ନିଜ ଅକ୍ତିଆରରେ ରଖି ନିଜେ ନିଜର ଚାଷବାସ କାମ କରୁଛନ୍ତି। ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୧୨୭ଏକର ଜମିରୁ ମାତ୍ର ୧୫ ଏକର ଜମି ଓଡ଼ିଶାବାସୀ ଚାଷ କରୁଥିବା ବେଳେ, ଆନ୍ଧ୍ରପ୍ରଦେଶର ବ୍ୟକ୍ତିମାନେ ୧୧୨ଏକର ଜମିରେ ଚାଷ କରୁଛନ୍ତି। ଓଡ଼ିଶା ସରକାରଙ୍କ ଜମିରେ ତୁମେ କିପରି ଚାଷ କରୁଛ ବୋଲି ପଚାରିଲେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଛନ୍ତି ଏବଂ କହୁଛନ୍ତି ଆମ ସରକାର ଆମକୁ ଦେଇଛି ତୁମେ କିଛି କରିପାରିବ ନାହିଁ। ଓଡ଼ିଶାର ସୀମାନ୍ତବର୍ତ୍ତି ଗ୍ରାମ ସୁଲୁଡି, ଲାଉଗୁଡ଼ା, ଲାଉଗୁଡ଼ା କଲୋନୀ, କପିରିଗୁଡା ଏବଂ ବଡ଼ଗୁଡା ଗ୍ରାମବାସୀ ପ୍ରକାଶ କରିଥିଲେ ଯେ, ସେମାନେ ଏହି ବିଷୟରେ ଲିଖିତ ଆକାରରେ ୩ମାସ ତଳେ ଗୁଣପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଏବଂ ଉପଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଇ କହିଥିଲେଯେ,ଖୁବ ଶୀଘ୍ର ସେହି ଗ୍ରାମ ଗୁଡିକୁ ଯାଇ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବି। ଗୁଣପୁର ଉପଖଣ୍ଡରେ ଉପଜିଲ୍ଲାପାଳଙ୍କ ନିଯୁକ୍ତି ପରେ ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଆମ ସମସ୍ୟାକୁ ଗୁରୁତ୍ୱ ନଦେବା ପରିତାପର ବିଷୟ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଏହି ବିଷୟରେ ରାମନାଗୁଡା ତହସିଲଦାର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଦି ଲିଖିତ ଆକାରରେ ଗ୍ରାମବାସୀ ଅଭିଯୋଗ କଲେ ନିଶ୍ଚୟ ଏହି ବିଷୟରେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଚେଷ୍ଟା କରିବେ। ଲାଉଗୁଡ଼ା,ଲାଉଗୁଡ଼ା କଲୋନୀକୁ ସବୁଦିନିଆ ରାସ୍ତା ମଧ୍ୟ ନାହିଁ, ଫଳରେ ଗ୍ରାମବାସୀ ଚାଷ ଜମି ହିଡ଼ରେ ଯିବା ଆସିବା କରୁଛନ୍ତି। ମାତ୍ର ଏକ କିଲୋମିଟର ଦୂରରେ ଥିବା ଆନ୍ଧ୍ରପ୍ରଦେଶର କେଦାରପୁରରେ ଜମିକୁ ଯିବା ନିମନ୍ତେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ସୀମାନ୍ତ ବର୍ତୀ ଗ୍ରାମଗୁଡିକୁ ସବୁ ଦିନିଆ ରାସ୍ତା କିମ୍ବା ସ୍ୱାସ୍ଥ୍ୟ ସେବା ସୁବିଧାରେ ମିଳି ପାରୁନି ବୋଲି ଗ୍ରାମବାସୀ ରାମଚନ୍ଦ୍ର ଶବର,ନିଲାମ୍ବର ଶବର,ମାଧବ ଶବର,ରାମ ଶବର ପ୍ରକାଶ କରିଛନ୍ତି। ଯଦି ଏହାର ସମାଧାନ ତୁରନ୍ତ ନ ହୁଏ ,ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Comments (0)
Add Comment