ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଛତ୍ରପୁର ଠାରେ ଆଇନ ମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବୈଠକ।

ଛତ୍ରପୁର,୧୩/୦୬(ପିପିଟି): ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅବସରରେ ଜ଼ିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଜିଲ୍ଲାର ବିଭିନ୍ନ ପ୍ରଗତି ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ୱୀ. କୀର୍ତ୍ତି ଭାସନ୍,ଆରକ୍ଷୀ ଅଧୀକ୍ଷକ ହରିଶ ବିଶି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ ପ୍ରମୁଖ ଯୋଗଦେଇଥିଲେ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭାସନ୍ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନ କରିଥିଲେ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଞ୍ଜାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଗଞ୍ଜାମ ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ “ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ”ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ବ୍ରହ୍ମପୁରସ୍ଥିତ ହଳଦିଆପଦର ଇଡ୍‌କୋ ଟାୱାର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା। ଏହା ସହିତ ଗୋପାଳପୁର ବେଳାଭୂମିର ସାମଗ୍ରିକ ବିକାଶ ପୁରୀ ବେଳାଭୂମି ଢାଞ୍ଚାରେ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ‘ମଲ୍ଟି-ସ୍କିଲ୍ ତାଲିମ’ ପ୍ରଦାନ କରାଯିବ, ଯାହାଦ୍ୱାରା ସ୍ଥାନୀୟ ଯୁବକଯୁବତୀମାନେ ଉପକୃତ ହୋଇପାରିବେ। ଏହା ସହିତ ଗ୍ରାମୀଣ ବିକାଶ ପରିଯୋଜନା, ଜଳଯୋଗାଣ, ସ୍ୱଚ୍ଛତା ଏବଂ ପାଣିପାଗ ପରିଚାଳନା କ୍ଷେତ୍ରରେ ତତ୍କାଳ ଆବଶ୍ୟକତା ଗୁଡ଼ିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ସେବାର ବିକାଶ ସହ ସାଧାରଣ ଲୋକଙ୍କ ଆପତ୍ତି ଓ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
“ଆମର ମୂଳ ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତିକୁ ତ୍ୱରିତ କରିବା। ଗ୍ରାମାଞ୍ଚଳର ସମସ୍ୟାଗୁଡ଼ିକୁ ସେହି ସ୍ତରରେ ଶୁଣି ସମାଧାନ କରିବା ଏବଂ ସରକାରୀ ସେବାଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ଦ୍ରୁତ ଗତିରେ ପହଞ୍ଚାଇବା ବୋଲି ସେ କହିଥିଲେ ।

ବୈଠକରେ ଉପସ୍ଥିତ ବରିଷ୍ଠ ନାଗରିକ, ଉଦ୍ୟୋଗ ଓ ବାଣିଜ୍ୟ ମହାସଂଘର ପ୍ରତିନିଧି, ମିଶନ ଶକ୍ତିର ମହିଳା ସଦସ୍ୟା, ମତ୍ସ୍ୟଜୀବୀ ଏବଂ ହୋଟେଲ ଇଣ୍ଡଷ୍ଟ୍ରିର ସଦସ୍ୟମାନଙ୍କ ସହ ସେମାନଙ୍କ ସୁବିଧା-ଅସୁବିଧା ଓ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଉନ୍ନତିମୂଳକ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା। ବ୍ରହ୍ମପୁର ଓ ଛତ୍ରପୁରର ବିକାଶ ପାଇଁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ବିଧାୟକମାନେ ନିଜ ନିଜ ଅଞ୍ଚଳର ପ୍ରଗତି ଉପରେ ବକ୍ତବ୍ୟ ରଖିଥିଲେ।

ବୈଠକରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଗଞ୍ଜାମ ଜିଲ୍ଲାପାଳ ୱୀ. କୀର୍ତ୍ତି ଭାସନ୍,ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ, ପ୍ରୋବେସନର ଆଇ.ଏ.ଏସ୍. ଅଧିକାରୀ ସୁଶ୍ରୀ ସରନ୍ୟା, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଶେଷରେ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କ ଦ୍ୱାରା ସରକାରଙ୍କ ସଫଳତାକୁ ନେଇ ଆୟୋଜିତ “ବିକାଶର ଧାରା ଓଡ଼ିଶା ସାରା” ପ୍ରଦର୍ଶନୀ ମେଳାର ଶୁଭ ଉଦ୍‌ଘାଟନ ହେବା ସହ ଅତିଥିମାନେ ଏହାକୁ ପରିଦର୍ଶନ କରିଥିଲେ।

Comments (0)
Add Comment