ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୬ତମ ପ୍ରତିଷ୍ଠା ଦିବସ ପାଳିତ ।

ଭୁବନେଶ୍ୱର,୦୩/୧୧(ପିପିଟି ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନଭେନସନ୍ ହଲ୍‌ଠାରେ “ଆଦ୍ୟାଶା – ଶୈଶବର ଆଶା, ଭବିଷ୍ୟତର ଭାଷା” ବିଷୟବସ୍ତୁକୁ ନେଇ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆୟୋଗର ବାର୍ଷିକ ରିପୋର୍ଟ ଉନ୍ମୋଚନ ସହିତ ଡିଜିଟାଲ୍ ଯୁଗରେ ଶିଶୁଙ୍କ ନିରାପତ୍ତା ପାଇଁ “ଓଡ଼ିଶାରେ ଶିଶୁଙ୍କ ଅନଲାଇନ୍ ସୁରକ୍ଷା ପାଇଁ ଗାଇଡ ଲାଇନ୍ (୨୦୨୬–୨୦୩୦)”ର ଶୁଭ ଉନ୍ମୋଚନ କରାଯାଇଛି। ଏହି ପଦକ୍ଷେପ ଶିଶୁ ଅଧିକାରର ସୁରକ୍ଷା, ପ୍ରୋତ୍ସାହନ ଓ ତଦାରଖ କ୍ଷେତ୍ରରେ ଆୟୋଗର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହିତ ପ୍ରତ୍ୟେକ ଶିଶୁ ପାଇଁ ଏକ ସୁରକ୍ଷିତ, ସମାବେଶୀ ଓ ଶିଶୁ-ଅନୁକୂଳ ଓଡ଼ିଶା ଗଠନ ଦିଗରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି।

ଏହି ସମାରୋହରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ଓ ସାମଗ୍ରିକ ବିକାଶରେ ସମାଜର ସମସ୍ତ ବର୍ଗର ମିଳିତ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ସଶକ୍ତୀକରଣ ଓ ସାମଗ୍ରିକ ବିକାଶ ହେଉଛି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନର ମୂଳଦୁଆ, ଏବଂ ପ୍ରତ୍ୟେକ ଶିଶୁଙ୍କୁ ସମାନ ସୁଯୋଗ, ସୁରକ୍ଷିତ ପରିବେଶ ଓ ନିଜର ପ୍ରତିଭା ବିକାଶର ସୁଯୋଗ ଯୋଗାଇଦେବା ଦିଗରେ ସରକାର, ଅନୁଷ୍ଠାନ ଓ ସମାଜର ସମସ୍ତ ଅଂଶୀଦାରଙ୍କ ସକ୍ରିୟ ସହଯୋଗ ଅତ୍ୟାବଶ୍ୟକ।

କାର୍ଯ୍ୟକ୍ରମର ଆରମ୍ଭରେ ଶିଶୁମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ କରାଯାଇଥିଲା, ଯାହା ଶିଶୁମାନଙ୍କ ପ୍ରତିଭା, ସୃଜନଶୀଳତା ଓ ଅନ୍ତର୍ନିହିତ ସାମର୍ଥ୍ୟକୁ ପ୍ରତିଫଳିତ କରିଥିଲା। ଏହା ପରେ ଆୟୋଗର ମାନ୍ୟବର ଅଧ୍ୟକ୍ଷା ବବିତା ପାତ୍ର ସ୍ୱାଗତ ଭାଷଣ ଦେଇ ଆୟୋଗର ୧୬ ବର୍ଷର ସଫଳ ଯାତ୍ରା, କାର୍ଯ୍ୟକାରିତା ଏବଂ ଆଗାମୀ ଦିନରେ ପ୍ରତ୍ୟେକ ଶିଶୁଙ୍କୁ ନିଜର ସମ୍ପୂର୍ଣ୍ଣ ସମ୍ଭାବନାର ବିକାଶ ପାଇଁ ଏକ ସୁରକ୍ଷିତ ଓ ସମାବେଶୀ ପରିବେଶ ଯୋଗାଇଦେବା ନେଇ OSCPCRର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଏହି ସମାରୋହରେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ଶ୍ରମ ଓ ଇଏସ୍‌ଆଇ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼. ମୃଣାଳିନୀ ଦର୍ସ୍ୱାଲ , ଏବଂ UNICEF ଓଡ଼ିଶାର ମୁଖ୍ୟ କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧିକାରୀ ପ୍ରଶାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହିତ ଆନ୍ଧ୍ରପ୍ରଦେଶ, ଆସାମ ଓ କର୍ଣ୍ଣାଟକ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷମାନେ ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଉପସ୍ଥିତି ଏହି ଆୟୋଜନକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଥିଲା।

କାର୍ଯ୍ୟକ୍ରମରେ ଡିଜିଟାଲ୍ ଯୁଗରେ ଶିଶୁମାନଙ୍କୁ ସାଇବର ବୁଲିଂ, ଅନଲାଇନ୍ ଗ୍ରୁମିଂ, ଯୌନ ଶୋଷଣ ଓ ଅନ୍ୟାନ୍ୟ ଅନଲାଇନ୍ ବିପଦରୁ ସୁରକ୍ଷା ଦେବା ପାଇଁ OSCPCR ଏବଂ ଚାଇଲ୍ଡଫଣ୍ଡ ଇଣ୍ଡିଆର ମିଳିତ ସହଯୋଗରେ ପରିଚାଳିତ ଯୋଜନା ବିଷୟରେ ବିଶେଷ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଶିଶୁ ଅଧିକାର ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷ, ସରକାରୀ ଅଧିକାରୀ ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସହଯୋଗୀ ସଂସ୍ଥା, ଶିଶୁ ଅଧିକାର କର୍ମୀ, ସାମାଜିକ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାରମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।

Comments (0)
Add Comment