ଯାଜପୁର,୨୬/୦୩(ପିପିଟି): ଏପ୍ରିଲ ୧ ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଏବଂ ଯାଜପୁର ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରିବା ଉପଲକ୍ଷେ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶିବାନନ୍ଦ ସ୍ୱାଇଁ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓଡ଼ିଶା ଦିବସ ପାଳନର କାର୍ଯ୍ୟ ଖସଡା ପାଠ କରିଥିଲେ। ଯାଜପୁର ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ସମାରୋହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଉତ୍ସବ ପାଳନର ବିଭିନ୍ନ ଦିଗ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଓଡ଼ିଶା ଦିବସ ଅବସରରେ ପ୍ରତ୍ୟୁଷରେ ଉତ୍କଳ ବନ୍ଦନା ଗାନ, ପ୍ରଭାତ ଫେରି, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ହସ୍ପିଟାଲ ରୋଗୀ,ବାଳାଶ୍ରମ ଏବଂ କାରାଗାର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ, କାର୍ଯ୍ୟାଳୟରେ ଆଲୋକ ସଜ୍ଜା,ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟ ଆଲୋଚନା ହୋଇଥିଲା। ଏହି ଉପଲକ୍ଷେ ସ୍କୁଲ ଏବଂ କଲେଜ୍ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ଦିବସ ଖୁବ୍ ସୁନ୍ଦର ଭାବେ ଆୟୋଜନ କରିବା ପାଇଁ ଜିଲ୍ଲାପାଳ କହିଥିଲେ। ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ଯାଏଁ ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳିତ ହେବାକୁ ଯାଉଛି। ଏହି ଦିନମାନଙ୍କରେ ପାରମ୍ପରିକ ପୋଷାକ ପରିଧାନ, ପାରମ୍ପରିକ ଓଡ଼ିଆ ଖାଦ୍ୟର ପ୍ରଚାର, ଓଡ଼ିଶା ଇତିହାସ ସମ୍ବନ୍ଧୀୟ ଆଲୋଚନା ଚକ୍ର ଏବଂ କୁଇଜ୍,ସ୍ୱଚ୍ଛତା ଅଭିଯାନ, ଓଡ଼ିଆରେ ନାମଫଳକ ଅଭିଯାନ,ଯୁବ ଲେଖକ ସମ୍ମିଳନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ବୈଠକ ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।