ଓଡ଼ିଶାରେ ମ୍ୟାଲେରିଆ ଚିନ୍ତା ବଢ଼ାଇଲା, ୮ ମାସରେ ୩୭,୮୯୯ ମାମଲା ।

ଭୁବନେଶ୍ୱର, ୦୬/୧୦(ପିପିଟି): ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ବିଶେଷକରି ଦୁର୍ଗମ ଓ ପଶ୍ଚିମ ଓଡ଼ିଶାର ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିଛି। ନ୍ୟାସନାଲ ସେଣ୍ଟର ଫର୍ ଭେକ୍ଟର ବର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୩୭,୮୯୯ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଗତବର୍ଷ ରାଜ୍ୟରେ ୬୧,୧୩୭ ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଥିଲା। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ବୌଦ୍ଧ ଓ ବଲାଙ୍ଗିର ଭଳି ଜିଲ୍ଲାରେ ରୋଗୀ ସଂଖ୍ୟା ଅଧିକ ରହିଛି। ତେବେ ‘ଦମନ’ ଓ ‘ଜିରୋ ମ୍ୟାଲେରିଆ’ ଭଳି ଅଭିଯାନ ଯୋଗୁଁ ଗତ କିଛି ବର୍ଷରେ ମ୍ୟାଲେରିଆ ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ୨୦୧୬ରେ ରାଜ୍ୟରେ ୪,୪୪,୮୪୨ ମାମଲା ଚିହ୍ନଟ ହୋଇଥିବାବେଳେ ୨୦୧୭ରେ ଏହା ୩,୪୭,୮୬୦ ଥିଲା।
୨୦୩୦ ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆମୁକ୍ତ କରିବା ଲକ୍ଷ୍ୟରେ ସରକାର ଦୁର୍ଗମ ଅଞ୍ଚଳରେ ୮୫୩ ଜଣ ବିକଳ୍ପ ଜ୍ୱର ଚିକିତ୍ସା କର୍ମୀଙ୍କୁ ନିୟୋଜିତ କରିଛନ୍ତି। ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬୬ଟି ମ୍ୟାଲେରିଆ ସେଣ୍ଟିନେଲ୍ ସାଇଟ୍ କାର୍ଯ୍ୟକ୍ଷମ ରହିଛି। ଏହାସହ ୪୮,୯୦୫ ଜଣ ଆଶାକର୍ମୀଙ୍କୁ ଗ୍ରାମାଞ୍ଚଳରେ ନିୟୋଜିତ କରାଯାଇଛି। ଜ୍ୱର ଓ ମ୍ୟାଲେରିଆ ସଦୃଶ ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରି ରାପିଡ୍ ଡାଇଗ୍ନୋଷ୍ଟିକ୍ କିଟ୍ ମାଧ୍ୟମରେ ତୁରନ୍ତ ପରୀକ୍ଷା ଓ ପଜିଟିଭ୍ ରୋଗୀଙ୍କୁ ବିଳମ୍ବ ନକରି ଚିକିତ୍ସା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ କୁମାର ମହାପାତ୍ରଙ୍କ ଅନୁଯାୟୀ, ଉପକେନ୍ଦ୍ର ସ୍ତରରୁ ନଜରଦାରି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଆଗାମୀ ଦିନରେ ଅଧିକ ପରୀକ୍ଷା, ତ୍ୱରିତ ଚିକିତ୍ସା, ମଶାରୀ ବଣ୍ଟନ ଓ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ମାଧ୍ୟମରେ ରୋଗର ପ୍ରଭାବ ହ୍ରାସ କରିବାକୁ ବିଭାଗ ଗୁରୁତ୍ୱ ଦେଉଛି।

Comments (0)
Add Comment