ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହିତ ଜଡିତ ‘ପଖାଳ’ ।

ବୋଲଗଡ଼,୧୯/୦୩(ସୁଶାନ୍ତ କୁମାର ପ୍ରଧାନ):ଓଡିଆଙ୍କ ଜନ ଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୂରାତନ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ। ଆମ ଓଡ଼ିଶା ର ଗ୍ରାମାଞ୍ଚଳରେ ଶୀତଦିନେ ପଖାଳ ଖାଇବା ନିଆରା ଅଟେ, ଶୀତୁଆ ସକାଳର ଖରାକୁ ପିଠି କରି ଚୁଲିନିଆଁରେ କଣ ଟିକିଏ ପୋଡା ପୋଡି କରି ଦେଇ ପିଆଜ, କଞ୍ଚାଲଙ୍କା ଓ ଲୁଣ ଚକଟା ଚକଟି କରି ଖାଇଥାନ୍ତି। ଏମିତି କି ଦେଖିବାକୁ ଗଲେ ବର୍ଷକ ବାରମାସରେ ପଖାଳ ପ୍ରତେକ ଓଡ଼ିଆଙ୍କ ଘରେ ଘରେ ଏକ ପ୍ରିୟ ଖାଦ୍ୟ। ଏପରିକି ଗ୍ରୀଷ୍ମ ଋତୁରେ ଯେତେବେଳେ ଅସହ୍ୟ ଗରମ ପଡେ ଓଡ଼ିଆ ପରିବାରରେ ପଖାଳ ଖାଦ୍ୟକୁ ଅଧିକ ଭାବରେ ଖାଇଥାନ୍ତି। ଏହି ପଖାଳ ଉଷୁନା ଚାଉଳର ଭାତରୁ ପ୍ରସ୍ତୁତ କରାଯାଇ ଥାଏ। କିନ୍ତୁ ବର୍ତ୍ତମାନ ସମୟରେ ପଖାଳ ରାଜ୍ୟ ଭିତରେ ସୀମିତ ହୋଇ ରହିନାହିଁ, ଏବେ ବିଭିନ୍ନ ରାଜ୍ୟ ସୁଦୂର ଦେଶ ବିଦେଶରେ ଏ ଖାଦ୍ୟ ଚାହିଦା ବଢିଛି। କେଉଁ ଆବାହନ ସମୟରୁ ମହା ପ୍ରଭୁ ଜଗନ୍ନାଥଙ୍କ ପାଖରେ ଲାଗି ହୋଇଥାଏ ପଖାଳ ଭୋଗ। ଗରିବ ହେଉ କିମ୍ବା ଧନୀ ହେଉ ପଖାଳ ପ୍ରତି ସମସ୍ତ ଙ୍କ ମନରେ ଉତ୍କଣ୍ଠା ରହିଥାଏ। କିଛି ବର୍ଷ ହେବ ମାର୍ଚ୍ଚ ୨୦ରେ ଆମ ରାଜ୍ୟରେ ପଖାଳ ଦିବସ ପାଳିତ ହୋଇ ଆସୁଅଛି। ଗ୍ରୀଷ୍ମ ଋତୁ ଆରମ୍ଭରୁ ହିଁ ପ୍ରାୟ ସମସ୍ତଙ୍କ ଘରେ ପଖାଳ ପ୍ରସ୍ତୁତ ହେଉଥିଲେ ହେଁ ପଖାଳ ଦିବସରେ ପଖାଳର ସ୍ୱତନ୍ତ୍ର ଆୟୋଜନ ହୋଇଥାଏ। ଆଜି ଗ୍ରାମାଞ୍ଚଳ ଠାରୁ ହୋଟେଲ୍, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ପାଳନ କରୁଛନ୍ତି।ଏହି ପଖାଳ ପାଇଁ ଓଡିଆ ରେ ମଧ୍ୟ ଗୋଟିଏ ପ୍ରବାଦ ଅଛି ତହା ହେଲା ଚାଷୀ ଭାଇ କୁହେ ପଖାଳ ଖାଇଲେ ବଳ ଆସେ, ଅଳସୁଆ କହେ ପଖାଳ ଖାଇଲେ ନିଦ ଆସେ, ଅହଂକାରୀ କହେ ପଖାଳ ଗରିବଙ୍କ ଖାଦ୍ୟ ମଧ୍ୟମରେ ଆସେ, ଧନୀ ୟାକୁ ଡାଇନିଂ ଟେବୁଲ ରେ ଖାଇବସେ, କିନ୍ତୁ ଡାକ୍ତର କୁହନ୍ତି ପଖାଳର ପୋଷଣ ଆସେ।ମୋଟା ମୋଟି କହିବାକୁ ଗଲେ ଓଡିଶାର ପରମ୍ପରା ଓ ସଂସ୍କୃତି ସହିତ ଜଡ଼ିତ ‘ପଖାଳ’ କୁ ସାରା ପୃଥିବୀରେ ପରିଚିତ କରାଇବା ଏହି ଦିବସ ପାଳନର ଉଦେଶ୍ୟ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment