ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଛତ୍ରପୁର,୧୩/୦୪(ପିପିଟି) :ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଚେତନାରେ ଆମର ପାରମ୍ପରିକ ଖାଦ୍ୟ ଏକ ଅବିଚ୍ଛେଦ୍ୟ ଅଙ୍ଗ। ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ‘ଆମ ରୁଚି ଆମ ଖାଦ୍ୟ’ କାର୍ଯ୍ୟକ୍ରମ ଆମର ଏହି ଗୌରବମୟ ଖାଦ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଏହାକୁ ଏକ ନୂତନ ଦିଗ ପ୍ରଦାନ କରିବ। ଆମର ଏହି ପାରମ୍ପରିକ ରୁଚିକୁ ଆଦରି ନେବା ସହ ଓଡ଼ିଶାର ଅନନ୍ୟ ସ୍ୱାଦକୁ ବିଶ୍ୱ ଦରବାରରେ ଶୀର୍ଷକୁ ନେବା ପାଇଁ ସଙ୍କଳ୍ପବଦ୍ଧ ହେବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଆମ ରୁଚି ଆମ ଖାଦ୍ୟ ପାଳନ କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନର ଓରମାସ ଓ ଓଡ଼ିଆ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭିନ୍ନ ଏସଏସଜି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା ପ୍ରସ୍ତୁତ କରି ଏହି ପର୍ବ ପାଳନ କରାଯାଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଖଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଓ ଦେବଦତ୍ତ ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଡିଏଫଓ ସୋନି ଖୋଖର ପ୍ରମୁଖ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିବା ସହିତ ପିଠା ଖାଇ ଆମ ପାରମ୍ପରିକ ଖାଦ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ ଓରମାସ ଡେପୁଟି ସିଇଓ ରାଜ ଗୋପାଳ ଦାଶ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments (0)
Add Comment