ବୋଲଗଡ଼,୨୮/୦୨(ପିପିଟି):ଆସୁଛି ଦୋଳ ପୂର୍ଣ୍ଣିମା, ଦୋଳପର୍ବ ଗୋପାଳ ମାନଙ୍କର ଜୀବନଶୈଳୀ,ସଂସ୍କୃତି ଓ ଆସ୍ଥାର ସଜୀବ ପ୍ରତିଛବି। ଏହା ଗୋପାଳ ମାନଙ୍କର ପବିତ୍ର ଓ ଆନନ୍ଦମୟ ପର୍ବ ହୋଇଥାଏ। ଏହି ପର୍ବରେ ବାଡ଼ି ଖେଳ,ଗୋମାତାଙ୍କର ପୂଜନ ଓ ସମ୍ମାନ ସବୁକିଛି ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହକରାଯାଏ। ଧରାପୃଷ୍ଠରେ ଭଗବାନ ଲୀଳା ଅତି ବିଚିତ୍ର ଓ ଅପାର। ପ୍ରତେକ ଗ୍ରାମର ଦୋଳ ବିମାନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦୋଳରେ ବସାଇ ଶୋଭାଯାତ୍ରାରେ କୀର୍ତ୍ତନ,ଭଜନ ଓ ହରିନାମ କରିବା ସହିତ ଫଗୁ, ଅବିର ରଙ୍ଗ ଖେଳି ପ୍ରତେକ ଦୁଆରେ ଦୁଆରେ ଭୋଗ ଖାଇଥାନ୍ତି। ଦୋଳ ପର୍ବ ଅବସରରେ ଭଗବାନ ଶ୍ରୀକୃଷ୍ଣ ମଦନ ମୋହନ ବେଶରେ ଦୋଳିରେ ବିରାଜିତ ହୋଇ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଫଗୁର ରଙ୍ଗ,ଅବିର ଓ ପ୍ରେମର ସ୍ପର୍ଶରେ ସମଗ୍ର ପରିବେଶ ଆନନ୍ଦମୟ ହୋଇଯାଏ। ଏହି ଫଗୁଖେଳ ମାଧ୍ୟମରେ ଭଗବାନ ସମଗ୍ର ବିଶ୍ୱବ୍ରହ୍ମାଣ୍ଡବାସୀଙ୍କୁ ଏକ ଦିବ୍ୟ ସନ୍ଦେଶ ଦିଅନ୍ତି ଯାହାକି ଜୀବନରେ ସର୍ବଦା ଭକ୍ତି, ପ୍ରେମ, ସ୍ନେହ ଓ ଶ୍ରଦ୍ଧାକୁ ଧାରଣକରି, ପରଷ୍ପର ସହଯୋଗ ଓ ସଦଭାବରେ ଜୀବନକୁ ଆନନ୍ଦର ସହ ଅତିବାହିତ କରିବା। ରଙ୍ଗ କେବଳ ଦେହର ନୁହେଁ, ବରଂ ମନରେ ମଧ୍ୟ ଲାଗୁ। ଯଦି ମନରେ ପ୍ରେମ, ସତ୍ୟ ଓ ଭକ୍ତିର ରଙ୍ଗ ଲାଗି ଯାଏ ତେବେ ଜୀବନରେ ସଦା ଉତ୍ସବମୟ ହୋଇଯାଏ। ଏହି ଦୋଳ ପର୍ବ ସାମାଜିକ ଏକତା, ଭାଇଚାରା ଓ ଆନନ୍ଦର ସାମୁହିକ ପ୍ରକାଶ ଆମକୁ ଶିଖାଏ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।