ଓଡ଼ିଆଙ୍କ ମୁଖନିସୃତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ : ଅର୍ପିତା ସିଂ ।

ଯାଜପୁର୦୭/୦୩: ବିଜେଡି ମହିଳା ନେତ୍ରୀ ଅର୍ପିତା ସିଂ କୁହନ୍ତି ପ୍ରତିଟି ଓଡ଼ିଆ ପ୍ରାଣରେ ସେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । କିଏ କହେ ତାଙ୍କୁ ମାଟିର ବରପୁତ୍ର, କିଏ କହେ ’ଝଡ଼ର ଇଗଲ’ । ସେ କିନ୍ତୁ ’କଳିଙ୍ଗ ବୀର’, ନବ ଓଡ଼ିଶାର ପ୍ରମୁଖ ବିନ୍ଧାଣୀ । କୋଟି ଓଡ଼ିଆଙ୍କ ମୁଖନିସୃତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ଆଜନ୍ମ ସାହାସୀ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ବିଜୁବାବୁଙ୍କ କେବଳ ଓଡ଼ିଆ ଚିହ୍ନେନା; ସାରା ବିଶ୍ୱରେ ତାଙ୍କ ଦୁର୍ଦ୍ଧର୍ଷ ମାନସିକତାର, ତାଙ୍କ ଦୂରଦୃଷ୍ଟି, ତାଙ୍କ କର୍ମନିପୁଣ ଜୀବନର ପ୍ରଶଂସା ଶୁଣିବାକୁ ମିଳେ । ତାଙ୍କ ଅବର୍ତ୍ତମାନରେ ବି ଏ ଓଡ଼ିଶା ମାଟିରେ ସେ ଅବିସ୍ମରଣୀୟ, ଅତୁଳନୀୟ, ଅବର୍ଣ୍ଣନୀୟ ବୋଲି କହିଛନ୍ତି ଅର୍ପିତା ।

ଅର୍ପିତା କହିଛନ୍ତି ବିଜୟାନନ୍ଦ ପଟ୍ଟନାୟକ-ଆମର ପ୍ରିୟ ବିଜୁ ବାବୁ । ୧୯୧୬, ମାର୍ଚ୍ଚ ୫ରେ ଜନ୍ମ ନେଇଥିଲେ । ପିତା- ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ମା- ଆଶାଲତା ଦେବୀ । ସ୍ୱାଧିନତା ସଂଗ୍ରାମରେ ବିଜୁଙ୍କ ଭୂମିକା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅତି ପ୍ରିୟ ଅନୁଗତ ଥିଲେ ବିଜୁ । ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାଜନେତା ଭାବେ ସେ ଥିଲେ ସାହାସୀ, ସ୍ୱାଭିମାନୀ, ଦୂରଦ୍ରଷ୍ଟା । ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ ।

ଅର୍ପିତା କହିଛନ୍ତି ସ୍ୱାଧୀନତା ପୂର୍ବରୁ ସେ କଟକ ଉତ୍ତର ଆସନରୁ ୧୯୪୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ପରେ ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ । ମୁଣ୍ଡ ଟେକିଥିଲା ବହୁ ଶିଳ୍ପ ।

ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ । ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର ।ଯେଉଁଥିପାଇଁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାଁରେ ନୂଆ ଆଞ୍ଚଳିକ ଦଳ ଗଢ଼ିଥିଲେ । ପରବର୍ତ୍ତୀ ସମୟରେ ଜନତା ଦଳକୁ ଯାଇଥିଲେ ବିଜୁ ପଟ୍ଟନାୟକ । ଜରୁରୀ ପରିସ୍ଥିତି ବିରୋଧରେ ଲଢ଼ି ଜେଲ ମଧ୍ୟ ଯାଇଥିଲେ ବିଜୁବାବୁ । ପରେ ଜନତା ପାର୍ଟି କେନ୍ଦ୍ରରେ ସରକାର ଆସିବା ପରେ ବିଜୁ ପଟ୍ଟନାୟକ ହୋଇଥିଲେ କ୍ୟାବିନେଟ ମନ୍ତ୍ରୀ । ସେତେବେଳେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଥିଲେ । ପରବର୍ତ୍ତୀ ସମୟରେ ଦେଶବ୍ୟାପୀ କଂଗ୍ରେସ ଲହର ସତ୍ତ୍ୱେ କେନ୍ଦ୍ରାପଡ଼ାରୁ ଲଗାତର ଦୁଇଥର ସାଂସଦ ହୋଇଥିଲେ । ୧୯୮୯ରେ ଭିପି ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇବାରେ ବିଜୁବାବୁ ଥିଲେ ପରଦା ପଛର ନାୟକ । ୧୯୯୦ରେ ବିଜୁ ପଟ୍ଟନାୟକଙ୍କର ଏମିତି ଲହରୀ ଆସିଲା ଯେଉଁଥିରେ କି କଂଗ୍ରେସ ପୂରା ସଫା ହୋଇଯାଇଥିଲା । ରେକର୍ଡ ସଂଖ୍ୟକ ଆସନରେ ବିଜୟଲାଭ କରି ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ବିଜୁ ପଟ୍ଟନାୟକ । ପରେ ୧୯୯୬ରେ କଟକରୁ ଓ ପରେ ଆସିକା ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ବିଜୁ ପଟ୍ଟନାୟକ ।

ଏହା ପରେ ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଜୁବାବୁ । ବିଜୁବାବୁଙ୍କ ପରଲୋକ ସହ ଏକ ଯୁଗର ପରିସମାପ୍ତି ହେଲା । ତାଙ୍କ ଶେଷ ଦର୍ଶନ ପାଇଁ ସାରା ଦେଶରୁ ରାଜନେତା ଛୁଟି ଆସିଥିଲେ । ପ୍ରିୟ ନେତାଙ୍କୁ ବିଦାୟ ଦେବାକୁ ଜନସମୁଦ୍ର ମାଡ଼ି ଆସିଥିଲା ରାଜରାସ୍ତାକୁ । ବିଜୁବାବୁ ଆଜି ନାହାନ୍ତି ସତ କିନ୍ତୁ ଆଜି ବି ବିଜୁବାବୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ଅମର ହୋଇରହିଛନ୍ତି ବୋଲି କହିଛନ୍ତି ଅର୍ଚ୍ଚିତା । ଅର୍ପିତା କହିଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ପଞ୍ଚାୟତିରାଜ ଦିବସରେ ବରପୁତ୍ରଙ୍କୁ ଭୁଲିଗଲେ ରାଜ୍ୟ ସରକାର। ହୋଇଗଲେ ଦାୟିତ୍ବହୀନ। କ୍ୟାଲେଣ୍ଡରରେ ଛୁଟି ଘୋଷଣା କରି ସୁଦ୍ଧା କଲେନାହିଁ ଛୁଟି ଘୋଷଣା। ଟଲମ୍ୟାନ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବିରୋଧରେ ଆଜି ସାରା ରାଜ୍ୟରେ ବିଜୁ ଜନତା ଦଳର ଗର୍ଜନ। କୋଟି ଓଡ଼ିଆଙ୍କ ହୃଦୟର ନେତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରେ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ ଓ ନେତା। ପୁର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟଙ୍କ ନେତୃତ୍ୱରେ ଧର୍ମଶାଳା ବ୍ଲକ ସମ୍ମୁଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ବାତିଲ ପ୍ରସଙ୍ଗ ପ୍ରତିବାଦ କରାଯାଇଥିଲା।

Comments (0)
Add Comment