ଓକିଲ ପୀତବାସ ପଣ୍ଡାଙ୍କ ହତ୍ୟାକାରିକୁ ଗିରଫ ଦାବି କଲା ପୋଲସରା ଓକିଲ ସଂଘ।

ପୋଲସରା ,୦୮/୧୦(ପିପିଟି): ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଓକିଲ ପୀତବାସ ପଣ୍ଡାଙ୍କୁ ଗତ ସୋମବାର ରାତ୍ର ପ୍ରାୟ ୧୦ଟା ସମୟରେ ସେ ନିଜ ବାସଗୃହକୁ ଯାଉଥିବା ବେଳେ ଅଜଣା ଆତତାୟୀମାନେ ଅତି ନିକଟରୁ ନିର୍ମମ ଭାବେ ଗୁଳିକରି ହତ୍ୟା କରିଥିଲେ। ଉକ୍ତ ଜଘନ୍ୟ ଘଟିଥିବା ଘଟଣାରେ ରାଜ୍ୟର ସମସ୍ତ ଆଇନଜୀବି ମର୍ମାହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଆଜି ପୋଲସରା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଭାପତି କବିରାଜ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ସ୍ଵର୍ଗତ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା ସ୍ୱରୂପ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯିବାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଦିଆଯାଇଥିଲା। ଏହି ଅବସରରେ ସଂଘ ତରଫରୁ ଉକ୍ତ ହତ୍ୟା ଘଟଣାକୁ ନେଇ ତ୍ରୀବ୍ର କ୍ଷୋଭ ପ୍ରକାଶ କରାଯିବାସହ ତ୍ରୀବ୍ରନିନ୍ଦା କରାଯାଇଥିଲା। ସ୍ଵର୍ଗତ ପଣ୍ଡା ଏକାଧାରରେ ଜଣେ ଆଇନଜୀବି, ରାଜନୀତିଜ୍ଞ, ଦୃଢ଼ ସ°ଗଠକ ଗାଳ୍ପିକ ଅନେକ ବ୍ରହ୍ମପୁର ସହରରେ ଗଢି ଉଠିଥିବା ଅନେକ ସ°ଗଠନର ସଭାପତି ଏଵଂ ରାଜ୍ୟସ୍ତରୀୟ ବହୁ ଅନୁଷ୍ଠାନ ସହ ଯୋଡ଼ିହୋଇ ଲୋକକଲ୍ୟାଣ କାର୍ଯ୍ୟକ୍ରମ କରି ଅନେକ ସୁନାମ ଅର୍ଜନ କରିଥିଲେ। ତାଙ୍କଭଳି ସୁପ୍ରସିଦ୍ଧ ଆଇନଜ୍ଞ ଓ ସମାଜସେବୀଙ୍କ ଅବର୍ତ୍ତମାନରେ ଓକିଲ ସମାଜର ଅପୂରଣୀୟ କ୍ଷତି ଘଟିଛି। ଏଣୁ ଏହି ଅମାନୁସିକ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ସହିତ ଦୁଃଖରେ ଭାଙ୍ଗିପଡିଥିବା ସ୍ଵର୍ଗତ ପଣ୍ଡାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଏଵଂ ଓକିଲ ମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବାକୁ ନେଇ ଆଲୋଚନା ମାଧ୍ୟମରେ ଦାବି କରାଯାଇଛି।ଏହି ପରିପ୍ରେକ୍ଷୀରେ ଏକ ଦିବସ ସକାଶେ କଲମ ଛାଡ ଆନ୍ଦୋଳନକୁ ନେଇ ନିବେଦନ ପତ୍ର ମାଧ୍ୟମରେ ପୋଲସରା ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯାଇଥିଲା। ପରେ ପ୍ରତିବାଦ ସ୍ୱରୂପ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ନଗର ପରିକ୍ରମା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ସୁଶାନ୍ତ କୁମାର ସାହୁ, ସପନ ମିଶ୍ର, ସତଚ୍ଚିଦାନନ୍ଦ ପାଣିଗ୍ରାହୀ, ସୁଧାଂଶୁ ଶେଖର ପ୍ରଧାନ, ଉପସଭାପତି ଅକ୍ଷୟ ଦାସ, ସୁଜ୍ଞାନୀ କୁମାରୀ ସାହୁ, ସୁଜିତ କୁମାର ପାଣିଗ୍ରାହୀ, ନାରାୟଣ ସାହୁ, ହରପ୍ରସାଦ ଦାସ ଓ ବିଜୟ ସାସମଲ ପ୍ରମୁଖ ଯୋଗଦାନ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment