ଐତିହାସିକ ତାକରଡ଼ା ଗୁଳିକାଣ୍ଡର ୭୫ ବର୍ଷ ପୂର୍ତ୍ତି ଉତ୍ସବ ସମାବେଶ ।

ଶେରଗଡ଼,୨୪/୦୫(ପିପିଟି):ଦେଶରେ ସାମନ୍ତବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଯେତେବେଳେ ଉତ୍ତାଳ ଅବସ୍ଥାରେ ଥିଲା ସେତେବେଳେ ଗଞ୍ଜାମରେ ରୟତ ଆନ୍ଦୋଳନର ଅଗ୍ନିଝଲକ ସମଗ୍ର ଦେଶରେ ବିସ୍ତାରିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଅତୀତରେ ସଙ୍ଗଠିତ ଦୁର୍ବାର କୃଷକ ଆନ୍ଦୋଳନ ଆଉ ସାମ୍ପ୍ରତିକ ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଯାଇଛି। ଆମ ଦେଶର ଅଗ୍ରଗତିର ସଂଜ୍ଞା ମଧ୍ଯ ବଦଳି ଯାଇଛି। କୃଷି ବିପ୍ଳବ ହିଁ ସମାଜ ବିକାଶର ଚାବିକାଠି ଏହି ନିରାଟ ବାସ୍ତବତାକୁ ଆଜିକାର ଶାସକ ଶ୍ରେଣୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଦେଶର ଶାସକ ଶ୍ରେଣୀ ଠାରେ ହିଁ ରହିଛି ସବୁ ସଙ୍କଟର କାରଣ। ଦେଶର ୮୦ ଭାଗ ଜନଗଣଙ୍କର ଜୀବନ ଜୀବିକାର ସୁରକ୍ଷାପ୍ରତି ଦୃଷ୍ଟି ନ ଦେଇ ଗତ ୭୫ ବର୍ଷ ମଧ୍ୟରେ ଆମେ ଦେଶର ଯାହା ଅଗ୍ରଗତି ଦେଖୁଛୁ ସେହି ଅଗ୍ରଗତିର ସୁଫଳ ମାତ୍ର ୫ ରୁ ୬ ଭାଗ ମୁଷ୍ଟିମେୟ ଲୋକ ପାଉଛନ୍ତି।ପରାଧିନତାର ଶୃଙ୍ଖଳକୁ ଚ୍ଛିନ୍ନ କରି ମୁକ୍ତିର ମାର୍ଗ ପାଇଁ ସ୍ଵାଧୀନତା ଆନ୍ଦୋଳନରେ ଦେଶର କୃଷକ ଶ୍ରେଣୀ ଅଗ୍ରଭାଗରେ ଥିଲେ। ସ୍ୱାଧୀନତା ପରେ କୃଷକ ଶ୍ରେଣୀର ଐକ୍ୟବଦ୍ଧ ସଂଗ୍ରାମ ଫଳରେ ବର୍ବର ଜମିଦାର ମୁସ୍ତାଦାର ପ୍ରଥା ବିଲୋପ ହୋଇ ଭୂସଂସ୍କାର ଆଇନ ପ୍ରଣୟନ ହୋଇଥିଲା। ଲଙ୍ଗଳ ଯା’ର ଜମି ତା’ର ଆନ୍ଦୋଳନରେ ଚାଷୀ ବିଜୟୀ ହୋଇଥିଲା ଜମିର ମାଲିକାନା ପାଇଥିଲା। ହେଲେ ଏବେ ଦେଶରେ ନୂଆ ରୂପରେ ଜମିଦାର ପ୍ରଥା ଲାଗୁ କରାଯାଇଛି।ଦେଶରେ ସାମ୍ପ୍ରଦାୟିକ ଆକ୍ରମଣ ଓ କୃଷକଶ୍ରେଣୀ ଊପରେ କର୍ପୋରେଟ ପୁଞ୍ଜିବାଦର ଭୟ ସୃଷ୍ଟି ହୋଇଛି। ଦେଶରେ ସାମାଜିକ ବୈଷମ୍ୟ ଚରମସୀମାରେ ପହଞ୍ଚିଛି । କୃଷି ଶିକ୍ଷା ବେକାରୀ ସମସ୍ୟା ଦେଶକୁ ସଙ୍କଟ ଆଡ଼କୁ ନେଇଛି। ଦେଶର ଏଭଳି ସଙ୍ଗୀନ ସଙ୍କଟ ସମୟରେ କୃଷକ ଶ୍ରେଣୀର ସ୍ୱାର୍ଥସିଦ୍ଧି ପାଇଁ ସଂକଳ୍ପ ନେବାକୁ ୧୯୪୮ ମଇ ୨୪ରେ ସଙ୍ଗଠିତ ତାକରଡ଼ା ଗୁଳିକାଣ୍ଡର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ମତବ୍ୟକ୍ତ କରାଯାଇଛି। ଶହୀଦ ଦିବସ ସ୍ମୁତି ରକ୍ଷା କମିଟି ପକ୍ଷରୁ ଐତିହାସିକ ତାକରଡ଼ା ଗୁଳିକାଣ୍ଡ ୭୫ ବର୍ଷ ପୂର୍ତ୍ତି ସମାବେଶ ତାକରଡ଼ା ଗୋବିନ୍ଦ ରଙ୍ଗମଞ୍ଚ ଠାରେ ଠାରେ ଅନୁଷ୍ଠିତ ହୋଇଯାଇଛି। ଶହିଦ ସ୍ମୁତିରକ୍ଷା କମିଟି ସମ୍ପାଦକ ସମୀର ପ୍ରଧାନଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ଶହୀଦବେଦୀରେ ମାଲ୍ୟାର୍ପଣ କୃଷକ ନେତା ଗୋବିନ୍ଦ ପ୍ରଧାନଙ୍କ ପ୍ରତିମୂର୍ତ୍ତି ଓ ହାଇସ୍କୁଲ ଠାରେ ଗୌରଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସ୍ୱର୍ଗତ ଗୋବିନ୍ଦ ପ୍ରଧାନ ରଙ୍ଗମଞ୍ଚରେ ବର୍ଷୀୟାନ ବାମପନ୍ଥୀ ନେତା ଶୋଭାଚନ୍ଦ୍ର ଷଡ଼ଙ୍ଗୀଙ୍କ ସଭାପତିତ୍ବ ଓ ସମଦୃଷ୍ଟି କାର୍ଯ୍ୟନିର୍ବାହୀ ସମ୍ପାଦକ ବିଘ୍ନେଶ୍ୱର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ନୁଆଦୁନିଆ ସମ୍ପାଦକ ରମେଶଚନ୍ଦ୍ର ପାଢ଼ୀ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ଐତିହାସିକ ଡ ଅନନ୍ତରାମ କର କୌଣ୍ଡିନ୍ୟ, ବିଶିଷ୍ଟ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଅବନୀ ଗୟା, ଶ୍ରମିକ ନେତା ଅଳକନାଥ ମିଶ୍ର, ଅଖିଳ ଭାରତ ଯୁବସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠି, ଜିଲ୍ଲା ସମ୍ପାଦକ କାମଦେବ ନାହାକ, ଗୋପାଳକୃଷ୍ଣ ପାଣିଗ୍ରାହି, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ, ଜିଲ୍ଲାପରିଷଦ ସଭ୍ୟା ନିବେଦିତା ପ୍ରଧାନ ପ୍ରମୁଖ ଯୋଗଦେଇ ଐତିହାସିକ ଶହୀଦ ଦିବସ ର ସ୍ମୃତିଚାରଣ ସହ ଜମିଦାରୀ ମୁସ୍ତାଦାରି ଇନାମଦାର ପ୍ରଥା ବିଲୋପ ଓ ଲଙ୍ଗଳ ଯାର ଜମି ତାର କାର୍ଯ୍ୟକାରି ହେବା ଏବଂ ଭୁସଂସ୍କାର ଆଇନ ପ୍ରଣୟନରେ ଚାଷୀଙ୍କ ମିଳିତ ସଂଗ୍ରାମରେ ତାକରଡ଼ା ଗୁଳିକାଣ୍ଡର ଭୂମିକା ସମେତ ସାମ୍ପ୍ରତିକ କୃଷକ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ତାକରଡ଼ା ଗୁଳିକାଣ୍ଡ ଉପରେ ପର୍ଯ୍ୟବେସିତ ଗୁରୁଚରଣ ପଟ୍ଟନାୟକଙ୍କ ଗଞ୍ଜାମରେ ରକ୍ତପ୍ରଭାତ ପୁସ୍ତକର ନୂଆଁ ସଂସ୍କରଣକୁ ଉନ୍ମୋଚନ କରାଯାଇଥିଲା । ଆତ୍ମ ବଳିଦାନ ଦେଇଥିବା ଶହୀଦ ହେମ ବାଡତ୍ୟା, କନ୍ଧୁଣୀ ଡାକୁଆ, ସୁବେଇନି ବେହେରା, ରାହାସ ଦାସ, ଅର୍ଜୁନ ବରାଡ, ବାଉରି ବରାଡ ୬ ଶହୀଦ ପରିବାରଙ୍କ ସଦସ୍ୟ ଓ ସ୍ଵାଧୀନତା ସଂଗ୍ରାମୀ ସ୍ୱର୍ଗତ ଗୋବିନ୍ଦ ପ୍ରଧାନ, ସ୍ୱର୍ଗତ ମାଧବ ମହାରଣା, ସ୍ୱର୍ଗତ ବତ୍ସ ପାତ୍ର, ହରିପାତ୍ରଙ୍କ ପରିବାର ସଭ୍ୟଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସିପିଆଇ ଜୋନ ସମ୍ପାଦକ ହରପ୍ରସାଦ ଆଚାରି, ସିପିଆଇ ନେତା ଅନନ୍ତ ମହାଙ୍କୁଡ, ବୃନ୍ଦାବନ ପଣ୍ଡା,ସୁଶାନ୍ତ ସ୍ବାଇଁ, ବିଦେଶୀ ନାହାକ, ବିନାୟକ ଦାଶ, ଭଗବାନ ରାଉତ,ପଞ୍ଚାନନ ସ୍ବାଇଁ, ରାମକୃଷ୍ଣ ପ୍ରଧାନ,ଭୀମସେନ ସ୍ବାଇଁ, ବିପିନ ବିହାରୀ ପ୍ରଧାନ,ଅଧ୍ୟାପକ ହୃଷୀକେଶ ପାତ୍ର,ପଞ୍ଚାନନ ସ୍ୱାଇଁ, ହରିହର ପାତ୍ର,ଗୋପାଳ ଭୂୟାଁ, ଦୈତାରି ରେଡ଼ି, ମୂଷା ବେହେରା, ପାଣ ସେଠି, ମେଘନାଦ ଦାସ, ଅଶୋକକୁମାର ଜେନାଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ କମ୍ୟୁନିଷ୍ଟ ନେତା ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Comments (0)
Add Comment