ପୋଲସରା,୧୭/୦୯ (ପିପିଟି) : ପୋଲସରା ବ୍ଲକ୍ କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ କେନ୍ଦୁବାଡ଼ି ଠାରେ “ବିଶ୍ୱ ଓଜୋନ” ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏଵଂ ବିଦ୍ୟାଳୟର ପ୍ରକୃତିବନ୍ଧୁ ପୁରସ୍କାର ତଥା “ନେସନ୍ ବିଲଡର ଆୱାର୍ଡ଼” ପୁରସ୍କାରପ୍ରାପ୍ତ ହିନ୍ଦୀ ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ବଳିଷ୍ଠ ଉଦ୍ୟମ ତଥା ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ସ୍ବାଇଁ ଯୋଗଦେଇ ବେଦ ମନ୍ତ୍ରୋଚାରଣ ମଧ୍ୟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା “ଓଜୋନ ସୁରକ୍ଷା ଜୀବନ ରକ୍ଷା”କୁ ନେଇ ଅନେକ ସ୍ଲୋଗାନ ମାଧ୍ୟମରେ ସମଗ୍ର କେନ୍ଦୁବାଡ଼ି ଗ୍ରାମରେ ଏକ ସଚେତନତା ଯାତ୍ରା କରାଯାଇଥିଲା। ପରେ ବିଦ୍ୟାଳୟ ସଭାକକ୍ଷରେ ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଯିଏକି ନିଜେ ଜଣେ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରି ଅବସର ନେଇସାରିଛନ୍ତି ନିଜର ସାରଗର୍ଭ ଅଭିଭାଷଣ ଜରିଆରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅତି ସରଳ ଏବଂ ସୁନ୍ଦରଭାବେ ମାର୍ଗଦର୍ଶନ ଦେବାସହିତ ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା ଏବଂ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ। ପରେ ପ୍ରଧାନ ଶିକ୍ଷକଙ୍କ ସମେତ ବିଜ୍ଞାନ ବିଭାଗ ଶିକ୍ଷୟତ୍ରୀ ସୁଶ୍ରୀ ହରପ୍ରିୟା ଦଳାଇ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ସାମ୍ପ୍ରତିକ ସମୟରେ ସମଗ୍ର ଜୀବଜଗତ ପାଇଁ ଓଜୋନର ଆବଶ୍ୟକତା,ସୁରକ୍ଷା ଓ ଜୀବନ ରକ୍ଷା ଓ ଦିବସର ପାଳନ ଉପରେ ନିଜନିଜର ସୁଚିନ୍ତିତ ମତ ପ୍ରଦାନ କରି ବୁଝାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉକ୍ତ ବିଷୟ ଉପରେ କହିବାର ସୁଯୋଗ ଦିଆଯାଇଥିଲା। ଉକ୍ତ ଦିବସର ବିଷୟ ଉପରେ ନେଇ କରାଯାଇଥିବା ବକୃତା,ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଅ°ଶଗ୍ରହଣ କରି ନିଜର ମେଧାଶକ୍ତି ପ୍ରଦର୍ଶନ କରିଥିବା କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପାରମ୍ପରିକ ଭାବେ ଅତିଥିମାନଙ୍କୁ ସ୍ଵାଗତ କରାଯାଇଥିବାବେଳେ ଶେଷରେ ଶିକ୍ଷକ ହରିହର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା