ଏସ୍ ଛଚିନା ସ୍ଥିତ ରାଧାକୃଷ୍ଣ ହାଇସ୍କୁଲର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ।

କୋଦଳା,୨୮/୦୪(ପିପିଟି): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ ଛଚିନା ରାଧାକୃଷ୍ଣ ହାଇସ୍କୁଲର ରଜତ ଜୟନ୍ତୀ ଉତ୍ସବ ରବିବାର ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି ।କବିସୂର୍ଯ୍ୟନଗର ବିଧାୟକ ତଥା ରାଧାକୃଷ୍ଣ ହାଇସ୍କୁଲର ସଭାପତି ପ୍ରତାପ ଚନ୍ଦ୍ର ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ବାଣିଜ୍ୟ,ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ସଂସ୍କାର ପୂର୍ଣ୍ଣ ଶିକ୍ଷା ଛାତ୍ରଛାତ୍ରୀ ମାନେ ଗ୍ରହଣ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପିଲାଙ୍କୁ ଚରିତ୍ର ଗଠନ ଓ ଶିକ୍ଷା ଗ୍ରହଣର ଆବଶ୍ୟକତା ଉପରେ କହିବା ସହ ପାଣିର ସୁରକ୍ଷା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ବେଗୁନିଆପଡା ବିଡିଓ ସସ୍ମିତା ଶତପଥୀ, ବି ଇ ଓ ରୁଦ୍ର ନାରାୟଣ ସାହୁ, ବେଗୁନିଆପଡା ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼,ରାଧାକୃଷ୍ଣ ହାଇସ୍କୁଲର ପ୍ରତିଷ୍ଠାତା ସିମାଞ୍ଚଳ ନାୟକ, ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସେଠୀ, ସମିତି ସଭ୍ୟ ବୁଦ୍ଧିଆ ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ବିଧାୟକ ପିଲାଙ୍କୁ ସତ କହିବା ପାଇଁ ନ ଡରିବାକୁ ପରାମର୍ଶ ଦେଇଥିଲେ । ସଭା ପୂର୍ବରୁ ବିଦ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ଦ୍ୱାରା ରୌପ୍ୟ ଜୟନ୍ତୀ ଫଳକ ଓ ବିଦ୍ୟାଳୟର ପ୍ରଥମ ସଭାପତି ସ୍ବର୍ଗତ ରମେଶ ଚନ୍ଦ୍ର ପାଢ଼ୀଙ୍କ ପ୍ରତିମୂର୍ତ୍ତି ଉନ୍ନ୍ମୋଚିତ ହୋଇଥିଲା । ପରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ରଜତ ସ୍ଵାକ୍ଷର ‘ ଓ ପୁରାତନ ଛାତ୍ର ବୁଲୁ ବିଷୋୟୀଙ୍କ ଦ୍ୱାରା ରଚିତ ପୁସ୍ତକ ‘ଜୀବନର ସ୍ୱର’ ଅତିଥି ମାନଙ୍କ ଦ୍ୱାରା ଉନ୍ନ୍ମୋଚିତ ହୋଇଥିଲା । ପୁରାତନ ଛାତ୍ର ବାଦଲ ବେହେରା ସିଦ୍ଧାନ୍ତ ମହାପାତ୍ରଙ୍କୁ ତାଙ୍କର ଏକ ପେନସିଲ ଆର୍ଟ କୁ ପ୍ରଦାନ କରିଥିଲେ । ପରେ ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ବ୍ରଜ ଗୋପାଳ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଦେବେନ୍ଦ୍ର କୁମାର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )

Comments (0)
Add Comment