ଏସପିଙ୍କ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ ।

ମାଲକାନଗିରି ,୧୦/୧(ପିପିଟି) :ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛି । ଏସ୍‌ପି ନିତିଶ୍‌‌ ୱାଧ୍ୱାନୀ ପ୍ରକାଶ କରିଛନ୍ତି ଯେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେବାଡା ଜିଲ୍ଲା କଟକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡବି ଓରଫ ରୋସନି ୨୦୧୬ ରେ ମାଲକାନଗିରି ଜିଲ୍ଲା ସିପିଆଇ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ଏହି ମାଓ ସଂଗଠନ ଅଚଳ ହେଲା ପରେ ଛତିଶଗଡ଼ର ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟିର ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ତେବେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ ନିକଟସ୍ଥ ମହୁପଦର, ଟେମୁରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ତୁଳସୀ ପାହାଡ ଠାରେ ବିଏସଏଫ କ୍ୟାମ୍ପ ଅନୁଷ୍ଠିତ ହେବା ପରେ ବହୁ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିସହ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ବର୍ତ୍ତମାନ ବହୁ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେବା ସହ ମାଓବାଦ ମାନେ ଆତ୍ମ ସମର୍ପଣ କଲେଣି ଏବଂ ସେମାନଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।ଅନ୍ୟପକ୍ଷରେ ବରିଷ୍ଠ ମାଓବାଦୀମାନଙ୍କ ପୂର୍ବ ଆଦର୍ଶ ବର୍ତ୍ତମାନ ନାହିଁ। ଯାହାଫଳରେ ବହୁ ମାଓବାଦୀ ଆତ୍ମ ସମର୍ପଣ କରି ସାରିଲେଣି ଏବଂ ଅନ୍ୟ କେତେଜଣ ବରିଷ୍ଠ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିବାକୁ ସୁଯୋଗ ଖୋଜୁଛନ୍ତି। ତେଣୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଓ ସାଧାରଣ ଜୀବନ ଯାପନ କରିବା ପାଇଁ ସେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ମହିଳା ମାଓବାଦୀଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ସେ ବର୍ତ୍ତମାନ ଆତ୍ମ ସମର୍ପଣ କରିଥିବାରୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment