ମାଲକାନଗିରି,୦୪/୦୨(ପିପିଟି ):ମାଲକାନଗିରି: ମାଲକାନଗିରି ପୋଲିସ ନିକଟରେ କ୍ୟାଡର ମାଓବାଦୀ ସୁଖରାମର ଏସଏଲଆର ବନ୍ଧୁକ ଓ ବିପୁଳ ମାଓ ସାମଗ୍ରୀ ସହ ଆତ୍ମସମର୍ପଣ କରିଛି । ସୁଖରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁଖରାମ । ମାଲକାନଗିରି ଏସପି ବିନୋଦ ପାଟିଲ କହିଛନ୍ତି ୧୬ ବର୍ଷ ଧରି ସେ ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିଲା । ନକ୍ସଲ କାର୍ଯ୍ୟକଳାପ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅନ୍ୟ ନକ୍ସଲଙ୍କୁ ସେ ଆହ୍ବାନ କରିଛନ୍ତି । ସୁଖରାମ ଓରଫ୍ ସୁରେଶ ଓରଫ୍ ଯୋଗେଶ ନାମରେ ମାଓବାଦୀ ଗହଣାରେ ପରିଚିତ। ଏହି କ୍ୟାଡର ମାଓବାଦୀ କାଙ୍ଗେର ଘାଟି ଏରିଆ କମିଟିର କମାଣ୍ଡର ଏବଂ ଛତିଶଗଡ଼ର ସୁକମା ଜିଲ୍ଲାର ପୁଷ୍ପାଳ ଥାନା ଅନ୍ତର୍ଗତ ଗୋବିନ୍ଦପାଲ ଗ୍ରାମର ବାସିନ୍ଦା ଅଟେ। ଆତ୍ମସମର୍ପଣ ସମୟରେ
ସୁନାରାମ ନିକଟରୁ ଗୋଟିଏ ଏସ ଏଲ ଆର୍ ରାଇଫଲ୍, ୧୨ ରାଉଣ୍ଡ ୭. ୬୨ ଏମଏମ ଗୁଳି, ଗୋଟିଏ ମାଗାଜିନ୍, ଦୁଇଟି ଆଇଇଡି (୨କିଲୋ), ୧୦ ମିଟର କୋଡେକ୍ସ ତାର, ୬ଟି କ୍ରାକର, ଗୋଟିଏ ଇଲେକ୍ଟ୍ରିକ୍ ତାର, ଗୋଟିଏ ହାଭରସ୍ୟାକ୍, ଗୋଟିଏ ହ୍ୱିସିଲ୍ କୋଡ୍, ଗୋଟିଏ ଯୋଡ଼ା ମାଓ ୟୁନିଫର୍ମ, ଦୁଇ ମିଟର ଲାଲ କପଡା, ଗୋଟିଏ ତାରପୋଲିନ୍ ଏବଂ ବ୍ୟାଟେରୀ ସହିତ ଏକ ଟର୍ଚ୍ଚଲାଇଟ୍ ଜବତ କରାଯାଇଛି। ବର୍ତ୍ତମାନ ଆତ୍ମସମର୍ପଣ ପରେ ତାକୁ ସରକାରୀଙ୍କ ନିୟମ ଅନୁଯାୟୀ ସମସ୍ତ ସହୟତା ଯୋଗାଇ ଦିଆଯିବ ବୋଲି ଏସପି ଗଣମାଧ୍ୟମ କୁ ଜଣାଇଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)