ଏସଆଇଆର କାର୍ଯ୍ୟ ତଦାରଖ କରି ପରିଗଣନା ଫର୍ମ ବଣ୍ଟନ କଲେ ଉପଜିଲ୍ଲାପାଳ ।

ଭଞ୍ଜନଗର , ୩୧/୦୫(ପିପିଟି ):ଗତ ୩୦ ମେ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଏସ ଆଇ ଆର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ସମ୍ମାନ ରୂପେ ଜାରି କରାଯାଉଥିବା ଗଣନା ଫର୍ମ, ଭଞ୍ଜନଗର ବିଡ଼ିଓ ଓ ବିଏଲଓ ଙ୍କ ଉପସ୍ଥିତିରେ ହସ୍ତାନ୍ତର କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରିଥିଲେ।ଏଥିସହ ଉପଜିଲ୍ଲାପାଳ ଶ୍ରୀ ବେହେରା ଗାମୁଣ୍ଡି, ବାଉଁଶଲୁଣ୍ଡି, ଜିଲୁଣ୍ଡି ଓ ଅଗଝୋଳ ବୁଥ୍ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ତଦାରଖ କରିବା ସହ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରିଥିଲେ । ଗଣନା ଫର୍ମ ବଣ୍ଟନରେ ବିଭାଗୀୟ ଅଧିକାରୀ, ସୁପରଭାଇଜର ଓ ବୁଥ୍ ଲେଭେଲ୍ ଅଫିସର ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏଇଆରଓ ଏବଂ ବିଏଲଓ ମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରିଥିଲେ ଏବଂ ଫର୍ମ ପୂରଣ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ବୁଝାଇଥିଲେ। ଉପଜିଲ୍ଲାପାଳ ଭୋଟରଙ୍କ ସହ ଆଲୋଚନା କରି ଏସ ଆଇ ଆର ର ଉଦ୍ଦେଶ୍ୟ ଓ ଆବଶ୍ୟକ ପ୍ରମାଣପତ୍ର ବିଷୟରେ ଅବଗତ କରାଇଥିଲେ। ବିଏଲଓ ମାନଙ୍କୁ ନିଷ୍ଠାର ସହ ଘରକୁ ଘର ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଭୋଟର ବିଏଲଓଙ୍କୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ କହିଛନ୍ତି।

ରିପୋର୍ଟ -ଜେ.କେ ପଟ୍ଟନାୟକ

Comments (0)
Add Comment